ଗୁଣପୁରରେ ଚାଷୀ ଶୋଷଣ ଅଭିଯୋଗ, ନିଜ କଷ୍ଟ ଅର୍ଜିତ ଉତ୍ପାଦିତ ଦ୍ରବ୍ୟକୁ ବିକ୍ରି କରିବା ପାଇଁ ନାକେଦମ୍ ଚାଷୀ

ସରି ଆସୁଛି ଅମଳ ଋତୁ । ହେଲେ ସରୁ ନାହିଁ ଚାଷୀଙ୍କ ସମସ୍ୟା । ନିଜର କଷ୍ଟ ଅର୍ଜିତ ଉତ୍ପାଦିତ ଦ୍ରବ୍ୟକୁ ବିକ୍ରି କରିବା ପାଇଁ ନାକେଦମ୍ ହେଉଛି ଚାଷୀ । ରାସ୍ତା ଉପରେ ଲମ୍ବା ଲାଇନରେ ଠିଆ ହୋଇଛି କପା ବୋଝେଇ ଗାଡି । ଆଉ ଗୋଟିଏ ପରେ ଗୋଟିଏ ଗାଡି କପା ବୋଝେଇ ହୋଇ ଯାଉଛି ମିଲ ଭିତରକୁ । ଏ ରାୟଗଡ଼ା ଜିଲ୍ଲା ଗୁଣପୁର ଅଞ୍ଚଳର ଦୃଶ୍ୟ । କପା ଅମଳ ପରେ ଚାଷୀ ବିକ୍ରି କରିବା ପାଇଁ ମିଲକୁ ଆସୁଛି । କପାର ମାନ ଠିକ୍ ନଥିବା ଦର୍ଶାଇ ଦର କମ୍ କରି ଅର୍ଥ ଦେଉଛି ।

ଏଥିସହ ଟୋକନ ଠିକ୍ ଭାବେ ମିଳୁ ନଥିବା ଓ ମଧ୍ୟବର୍ତ୍ତୀ ଲୋକ କପା ଶୀଘ୍ର ବିକ୍ରି କରିଦେଉଥିବା ବେଳେ ପ୍ରକୃତ ଚାଷୀ ବଳି ପଡୁଥିବା ଅଭିଯୋଗ ହେଉଛି । ଆଉ ଯେଉଁ ଚାଷୀ ମାନେ କପା ବିକ୍ରି କରିବା ପାଇଁ ଆସୁଛନ୍ତି ସେମାଙ୍କ ଠାରୁ ପ୍ରତି କୁଇଣ୍ଟାଲରେ ଅଧିକ ଦୁଇ କେଜି ଲେଖାଏ ନିଆଯାଉଥିବା ଅଭିଯୋଗ ହୋଇଛି । ପୂର୍ବରୁ ଗୁଡ଼ାରୀ, ରାମନାଗୁଡା, ଗୁଣପୁରରେ ଚାଷୀଙ୍କ କପା ବିକ୍ରି କରିବା ପାଇଁ ମଣ୍ଡି ବ୍ୟବସ୍ଥା କରାଯାଇଥିଲା । ହେଲେ ଦୁଇ ବର୍ଷ ଗୁଣପୁର ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣ ସହ କପା ମିଲରେ ସିସିଆଇ କପା କିଣିବା ବ୍ୟବସ୍ଥା ହୋଇଛି ।

ଚଳିତ ବର୍ଷ ନୂଆ ନିୟମ ପ୍ରକାରେ ଚାଷୀ ପଞ୍ଜିକରଣ କରିବା ପରେ ଟୋକନ ଦିଆଯାଉଛି । ତାହା ପୁଣି ନିର୍ଦ୍ଧିଷ୍ଟ ସମୟ ପାଇଁ ଦିଆଯାଉଛି । କପାର ମାନ ନିର୍ଦ୍ଧାରଣ କରି ସିସିଆଇ ଚାଷୀଙ୍କ ଠାରୁ କପା କିଣନ୍ତି । କପାର ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ଦର ୭୫୨୧ ଟଙ୍କା ରହିଛି । ହେଲେ ଏହି ଦରରେ ଚାଷୀକୁ ପ୍ରାପ୍ୟ ମିଳୁ ନାହିଁ । ଅମଳ ଋତୁ ସରିବାକୁ ବସିଥିବା ବେଳେ ଚାଷୀ କପା କିକ୍ରି କରିବା ପାଇଁ ନାକେଦମ ହେବା ସହ ଶୋଷଣର ଶିକାର ହେଉଛି ।

ଏପଟେ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ବର୍ତ୍ତମାନ ୭୫ ପ୍ରତିଶତ କପା କିଣାଯାଇଛି । ଫେବୃୟାରୀ ମାସ ସୁଦ୍ଧା ସମସ୍ତ କପା କିଣା ସରିବ ବୋଲି କହିଛନ୍ତି । ତେବେ ସିସିଆଇ ଜିଏସଟି ବାବଦରେ ଅଧିକ କପା ଚାଷୀ ଠାରୁ ନେଉଥିବା ଅଭିଯୋଗକୁ ସିସିଆଇ କହିପାରିବେ ବୋଲି କହିଥିଲେ । ସେପଟେ ସିସିଆଇ ପାଇଁ ପ୍ରତିକ୍ରିୟା ନଦେଇ ଚାଲି ଗଲେ । କେବେ ଚାଷୀଙ୍କ ଦୁଃଖ ଶୁଣିବେ ପ୍ରଶାସନ ତାହା ଦେଖିବା ବାକି ରହିଲା ।

You might also like