ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ଶିକ୍ଷକ ଥାନାରେ ଅଟକ

ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଏକୁଟିଆ ଡାକି କରିଲେ ଅସଦାଚରଣ । ଆଉ ଘରେ କହିଲେ ମାରିଦେବାକୁ ଦେଲେ ଧମକ । ଜଣେ ସ୍କୁଲ୍ ଶିକ୍ଷକଙ୍କ ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଅଭିଯୋଗ ଆଣିଛନ୍ତି ଖୋଦ୍ ଛାତ୍ରୀଙ୍କ ମା’ । ତେବେ ସବୁଠାରୁ ଦୁଃଖର ବିଷୟ ହେଉଛି ସାରଙ୍କ ଏଭଳି କାରନାମାରେ ସହାୟତା କରିଥିଲେ ସେହି ସ୍କୁଲର ଜଣେ ଶିକ୍ଷୟିତ୍ରୀ । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ପୁଣି ଗୁରୁ ଶିଷ୍ୟ ସମ୍ପର୍କରେ ଲାଗିଲା କଳଙ୍କର ଛିଟା । ନିଜ ଶରୀରର କାମନାକୁ ଚରିତାର୍ଥ କରିବା ପାଇଁ କରିବସିଲେ ପାପ କାମ ।
ଭୁଲିଗଲେ ସବୁକିଛି, ବାସ୍ କେବଳ ମନରେ ଆସିଲା ପାପ କାମର ମନ୍ଦ ବୁଦ୍ଧି । ନିଜ ଝିଅ ବୟସର କୁନି ଝିଅଙ୍କ ସହ କରିବସିଲେ ଅସଦାଚାରଣ । କେବଳ ସେତିକି ନୁହେଁ ଏକୁଟିଆ ଦେଖି ନିଜ ଝିଅ ବୟସର ଛୁଆଙ୍କୁ ଦେଖାଉଥିଲେ ଅଶାଳୀନ ଭିଡିଓ । ଦର୍ଶକବନ୍ଧୁ ବାପା ମା’ ପରେ ଗୁରୁ ହିଁ ପ୍ରତ୍ୟେକ ପିଲାର ମାର୍ଗ ଦର୍ଶକ ହୋଇଥାଏ । ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଆଲୋକ ଭଳି ସଠିକ ରାସ୍ତା ଦେଖାନ୍ତି ଗୁରୁ । ଅନେକ ଶିକ୍ଷା ଦିଅନ୍ତି ଆଉ ବେଳେବେଳେ ଶୃଙ୍ଖଳିତ କରିବା ପାଇଁ କଠୋର ଅନୁଶାସନରେ ରଖିଥାଆନ୍ତି ସେ ହେଉଛନ୍ତି ଗୁରୁ । ଆମ ସମାଜରେ ଗୁରୁ ଶିଷ୍ୟଙ୍କ ସମ୍ପର୍କ ଅତି ନିବିଡ଼ ।
ଯାହା ପ୍ରାଚୀନ କାଳରୁ ରହି ଆସିଛି । କିନ୍ତୁ ଏହି ଗୁରୁ ଶିଷ୍ୟ ପରମ୍ପରାରେ ଲାଗିଛି କଳଙ୍କ । ଯେତେବେଳେ ଗୁରୁ ଏମିତି କାଣ୍ଡ କରିବେ ସେତେବେଳେ କାହା ଉପରେ ବିଶ୍ୱାସ କରିବେ ଛୁଆ । ତେବେ ପରିବାର ଲୋକ ଥାନାରେ ଏତଲା ଦେବା ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ଅଟକ ରଖିଛି ପୋଲିସ । ଅଭିଯୋଗ ଅନୁସାରେ ବିଦ୍ୟାଳୟରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅଭିଯୁକ୍ତ ଶିକ୍ଷକ ଗତ ଶନିବାର ଦିନ ଅସଦାଚରଣ କରିଥିଲେ । ସେ ଛାତ୍ରୀଙ୍କୁ ଆଶୀଳନ ଭିଡିଓ ଦେଖାଉଥିଲେ ବୋଲି ଛାତ୍ରୀ ଓ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରିଛନ୍ତି ।
ଏହି ଘଟଣାକୁ ଘରେ କହିଲେ ମାରି ଫୋପାଡ଼ି ଦେବାକୁ ଧମକ ମଧ୍ୟ ଦେଇଥିଲେ ଶିକ୍ଷକ ବୋଲି ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ସ୍କୁଲ ପରିସରରେ ଉତ୍ତେଜନା ମଧ୍ୟ ଦେଖାଦେଇଥିଲା । ଯାହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହି ଘଟଣାରେ ଥାନାରେ ଉଭୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଟକ ରଖିଛନ୍ତି । ଅନ୍ୟପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶିକ୍ଷକ । ସେ କହିଛନ୍ତି କି ଏସବୁ ମିଛ କଥା ମୁଁ ଏପରି କିଛି କାମ କରିନି । ସ୍କୁଲରେ ଏଭଳି ସବୁ କାମ କରିବା ସମ୍ଭବ ହିଁ ନୁହେଁ ।
ତେବେ ଶିକ୍ଷକଙ୍କ ଏପରି ଆଚରଣ ପାଇଁ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି । ବିଦ୍ୟାଳୟ ହେଉଛି ମନ୍ଦିର ଆଉ ଏହି ମନ୍ଦିରର ପୂଜାରୀ ହୋଇଥାନ୍ତି ଶିକ୍ଷକ । ଭବିଷ୍ୟତ ଗଢ଼ିବା ପାଇଁ ଯାଉଥିବା ସ୍ଥାନରେ ଯଦି ପିଲାମାନେ ନିଜକୁ ଅସୁରକ୍ଷିତ ମନେ କରିବେ ଶୋଷଣର ଶିକାର ହେବେ ତେବେ ଏ ଦେଶର ଭବିଷ୍ୟତ କ’ଣ ହେବ? ଆପଣ ନିଜେ ଚିନ୍ତା କରନ୍ତୁ….
Also read: ଅଧ୍ୟାପକଙ୍କ ଅସଦାଚରଣ ଲାଗି ଜୀବନ ହାରିଲେ ଛାତ୍ରୀ