ଡ଼େଲାଙ୍ଗ: ବିଦ୍ୟାଳୟର ହେବ ବିକାଶ । ଛାତ୍ରଛାତ୍ରୀମାନଙ୍କ ଶିକ୍ଷା କ୍ଷେତ୍ରରେ ହେବ ଉନ୍ନତି । ଏଭଳି ପରିକଳ୍ପନା ନେଇ ରାଜ୍ୟର ସବୁ ହାଇସ୍କୁଲ ଗୁଡ଼ିକର ରୁପାନ୍ତରିତ କାର୍ଯ୍ୟ କରାଯାଇଥିଲା । ତେବେ ଏହି ରୁପାନ୍ତରିତ କାର୍ଯ୍ୟ ଶେଷ ହୋଇ ଲୋକାର୍ପଣ ହୋଇସାରିବା ପରେ ଛାତ୍ରଛାତ୍ରୀମାନଙ୍କୁ ଉନ୍ନତମାନର ଶିକ୍ଷା ପ୍ରଦାନ କରାଯାଉଥିଲା । ଏହାପରେ ଆଉ କୈାଣସି କାର୍ଯ୍ୟ ବିଦ୍ୟାଳୟ ପରିସରରେ କରାଯାଇ ନଥିଲା । ପରବର୍ତ୍ତୀ ସମୟରେ ସ୍କୁଲର ବିକାଶ ମୁଳକ କାର୍ଯ୍ୟ ପାଇଁ ବିଧାୟକ ହାତପାଣ୍ଠିରୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ପରିସରରେ ବିଧାୟକ ହାତପାଣ୍ଠିର ସୁଚନା ଫଳକ ଲେଖାଯାଇ ଗତ ଜୁଲାଇ ମାସରେ କୈାଣସି କାର୍ଯ୍ୟ କରା ନଯାଇ ୫ଲକ୍ଷ ଟଙ୍କାର ବିଲ କରାଯାଇଥିବା ନେଇ ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଳକ ଧାନକେରା ପଂଚାୟତର କପିଳେଶ୍ଵର ନୋଡ଼ାଲ ହାଇସ୍କୁଲରୁ ଏଭଳି ସଂଗୀନ ଅଭିଯୋଗ ଆସିଛି । ସ୍କୁଲ ପୁରାତନ ଛାତ୍ର ସଂସଦର ଛାତ୍ର ମାନେ ଏବଂ ଅଭିଭାବକ ମାନେ ଏଭଳି ଅଭିଯୋଗ ଆଣିଛନ୍ତି ।
ସ୍କୁଲରେ ଉନ୍ନତି କରଣ ହେଉ କି ମରାମତି କୈାଣସି ବି କାର୍ଯ୍ୟ ପାଇଁ ମାଟି ଗାଣ୍ଡୁଆଏ ନ ପକାଇ ବିଧାୟକ ପାଣ୍ଠିରୁ ପାଞ୍ଚ ଲକ୍ଷ ଟଙ୍କା ହରିଲୁଟ ହୋଇଥିବାବେଳେ ଏହାର ପର୍ଦ୍ଦାଫାସ କରିଛନ୍ତି ଖୋଦ ବିଦ୍ୟାଳୟର ପ୍ରଧାନ ଶିକ୍ଷକ । ସ୍କୁଲରେ କୈାଣସି ପ୍ରକାର କାମ ନ କରି କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ଚେକ ମେଜର ମେଣ୍ଟ କରି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି । ଜୁଲାଇ ମାସରେ ବିଦ୍ୟାଳୟ ପାଇଁ କାର୍ଯ୍ୟ ହୋଇଥିବାର ପାଞ୍ଚ ଲକ୍ଷ ଟଙ୍କାର ବିଧାୟକ ହାତପାଣ୍ଠିର ଏକ ବିଲ ସୋସିଆଲ ମିଡ଼ିଆରେ ଘୁରି ବୁଲିବା ପରେ ଏ ସମ୍ପର୍କରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦୁର୍ଗା ପ୍ରସାଦ ରଥ କାର୍ଯ୍ୟର ତଦାରଖ କରିଥିଲେ ।
ଗତ ଜୁଲାଇ ମାସରେ କୈାଣସି କାର୍ଯ୍ୟ ହୋଇ ନ ଥିବା ଜାଣିବାକୁ ପାଇଥିଲେ । ଏହା ସହିତ ବିଦ୍ୟାଳୟରେ ନିର୍ମାଣ କରାଯାଇଥିବା ପାଚେରୀ ମଧ୍ୟ ଭାଙ୍ଗି ପଡ଼ିଛି ।ଏଭଳି ଦୁର୍ନିତି ହୋଇଥିବା ସମ୍ପର୍କରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ ଡ଼େଲାଙ୍ଗ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ବିଡ଼ିଓ ଏ ସମ୍ପର୍କରେ ତାଙ୍କ ପାଖରେ କୈାଣସି ଅଭିଯୋଗ ହୋଇ ନାହିଁ ବୋଲି ସେ ସଫେଇ ଦେଇ କୈାଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ପୁରୀ ଜିଲ୍ଲା ଶିକ୍ଷାଅଧିକାରୀ କହିଛନ୍ତି ଏ ସମ୍ପର୍କରେ ସେ ତଦନ୍ତ କରିବେ । ସେପଟେ ଜିଲ୍ଲାପାଳ କହିଛନ୍ତି ଏହି ଘଟଣାକୁ ନେଇ ତଦନ୍ତ କରାଯିବ । ଯଦି ଘଟଣାରେ ସତ୍ୟତା ରହିଥାଏ ତେବେ ଯେଉଁମାନେ ଏଥିରେ ସମ୍ପୃକ୍ତ ରହିଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।