ଅଦ୍ଭୁତ ଆଶ୍ଚର୍ଯ୍ୟ, ଘର ଛପରରେ ଫଳିଛି ୯ ଫୁଟ ଲମ୍ବର ଲାଉ
ଆନନ୍ଦପୁର ( କେନ୍ୟୁଜ) : ଲାଉ ସହିତ ସେଲଫି। ଏ ପୁଣି ଏମିତି ସେମିତି ଲାଉ ନୁହେଁ ୯ ଫୁଟିଆ ଲାଉ। ଏ ଲାଉକୁ ଯିଏ ଦେଖୁଛନ୍ତି ସେ ଲାଉ ସହ ନେଉଛନ୍ତି ସେଲଫି। କାହିଁକିନା ଘନଶ୍ୟାମ ମଉସାଙ୍କ ବାଡିରେ ଫଳିଛି ୯ ଫୁଟିଆ ଲାଉ। ଘରୋଇ ବିହନ ଏବଂ ବିନା ପରିଶ୍ରମରେ ଘର ଉପରେ ଫଳିଛି ବିରାଟ ଲାଉ। ଏତେ ବଡ ଲାଉ ଦେଖି ଆଶ୍ଚର୍ଯ୍ଯ ହେବର ସହ ଖୁସି ହେଉଛନ୍ତି ପରିବାର ଲୋକେ।
ଆନନ୍ଦପୁର ପୌରାଞ୍ଚଳ ଅନ୍ତର୍ଗତ ୧୬ ନଂ ୱାର୍ଡ ଶୈଲଙ୍ଗ ର ଘନଶ୍ୟାମ ସାଙ୍କ ବାଡିରେ ଏବେ ଲୋକଙ୍କ ଗହଳି। ବାଡିରେ ଫଳୁଛି ଛଚିନ୍ଦ୍ରା ଭଳି ଲମ୍ବୁଥିବା ୯ଫୁଟିଆ ଲାଉ। ଏତେ ବଡ ଆକାରର ଲାଉ ଦେଖିବାକୁ ସ୍ଥାନୀୟ ଲୋକଙ୍କ ସହ ଆଖପାଖ ଲୋକେ ଗତ କିଛିଦିନ ଧରି ଛୁଟିଛନ୍ତି ଘନଶ୍ୟାମଙ୍କ ବାଡିକୁ। ପେଷାରେ ଜଣେ ଚାଷୀ ହୋଇଥିବାରୁ ନିଜ ବାଡିରେ ବର୍ଷତମାମ କିଛି ନାକିଛି ପରିବା ଲଗାଇଥାନ୍ତି ଘନଶ୍ୟାମ।
ପ୍ରାୟ ଦେଢମାସ ତଳେ ଲାଉ ମଞ୍ଜି ଆଣି ଲଗାଇବା ପରେ ସେଥିରୁ ବାହରିଥିବା ଲାଉ ଲତା ସବୁ ବାଡିରେ ଥିବା ଗୁହାଳ ଘର ଛପରକୁ ମାଡିଥିଲା। ଆଉ ଏବେ ଆଶ୍ଚର୍ଯ୍ୟଜନକ ଭାବେ ପ୍ରାୟ ୯ଫୁଟ ଲମ୍ବର ଲାଉ ଫଳିବାରେ ଲାଗିଛି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଗୋଟିଏ ଲାଉର ଓଜନ ପ୍ରାୟ ୧୫ ରୁ ୧୬ କେଜି ହେବ। କେବଳ ଗୋଟିଏ କି ଦୁଇଟି ନୁହଁ , ଏହାରି ଭିତରେ ଏଭଳି ୯ଟି ଲାଉ ଫଳିଲାଣି ।
ପୂର୍ବ ବର୍ଷରୁ ସଞ୍ଚିତ କରି ରଖିଥିବା ବିହନକୁ ଚଳିତ ବର୍ଷ ଲଗାଇଥିଲେ । ଧୀରେ ଧୀରେ ଏହି ଗଛ ବୃଦ୍ଧି ପାଇ ଗୁହାଳ ଛପରରେ ମାଡିଥିଲା। ରକ୍ଷଣାବେକ୍ଷଣା ପରେ ଏହି ଗଛରେ ଲାଉ ଫଳିଲା । ଲାଉ ଗୁଡିକ ବୃଦ୍ଧି ପାଇ ବର୍ତ୍ତମାନ ୯ ଫୁଟ ଲମ୍ବର ହୋଇଛି। ଉଦ୍ୟାନ ବିଭାଗର ବିନା ପରାମର୍ଶରେ ବିନା ରାସାୟନିକ ସାରରେ ଏଭଳି ଲାଉ ଫଳିଥିବା କଥା ଘନଶ୍ଯାମଙ୍କ ପତ୍ନୀ କହିଛନ୍ତି । ଅନ୍ଯ ପକ୍ଷରେ ପଡୋଶୀ ଙ୍କ ବାଡ଼ିରେ ଏଭଳି ଲାଉ ଦେଖି ଖୁସି ଅନୁଭବ କରିବା ସହ ଆଶ୍ଚର୍ଯ୍ଯ ଲାଗୁଛି ବୋଲି ପଡୋଶୀ ମାନେ କହିଛନ୍ତି । ଏହି ଲାଉକୁ ଦେଖିବା ପାଇଁ ଆଖପାଖ ଲୋକଙ୍କ ଭିଡ଼ ଲାଗୁଛି । ଏଭଳି ଲାଉ ଫଳାଇ ଘନଶ୍ଯାମ ନିଜ ଅଞ୍ଚଳ ପାଇଁ ଗୋରବ ଅର୍ଜ୍ଜନ କରିପାରିଛନ୍ତି।