ଦୁର୍ଘଟଣା ସ୍ଥଳରେ ବିଳମ୍ବରେ ପହଞ୍ଚିଲା ଆମ୍ବୁଲାନ୍ସ, ଆହତ ବ୍ୟକ୍ତିଙ୍କ ମୃତ୍ୟୁ, ଅଭିଯୋଗ ଆଣିଲେ ପରିବାର

ଆନନ୍ଦପୁର: ହୋ ହାଲ୍ଲା ପାଟିତୁଣ୍ଡ ତା ସହ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୁରା ପରିବେଶ । ରୁଣ୍ଡ ହୋଇଛନ୍ତି ଲୋକେ । ଆପଣ ଭାବୁଥିବେ ଘଟଣା କ’ଣ କାହିଁକି ଏ ଘୋ ଘା… କଣ ହୋଇଛି ଏଇଠି? ଏ ଘଟଣା ହେଉଛି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟର । ଏଠି ଜଣଙ୍କର ମୃତ୍ୟୁ ହୋଇଯାଇଛି ସେ ବି ପୁଣି କାହାର ଅବହେଳା ଯୋଗୁଁ । ଯେଉଁଥିପାଇଁ ହସ୍ପିଟାଲରେ ସୃଷ୍ଟି ହୋଇଛି ଏଭଳି ପରିବେଶ । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା । ଦୁର୍ଘଟଣା ସ୍ଥଳରେ ବିଳମ୍ବରେ ପହଞ୍ଚିଲା ଆମ୍ବୁଲାନ୍ସ ।
ଯେଉଁଥିପାଇଁ ଆହତ ବ୍ୟକ୍ତି ଜଣଙ୍କର ମୃତ୍ୟୁ ଘଟିଛି । ଏକଥା ଆମେ କହୁନୁ ଏକଥା ଖୋଦ ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ କେନ୍ଦ୍ରକରି ମୃତକଙ୍କ ପରିବାର ଓ ଆମ୍ବୁଲାନ୍ସ କର୍ମଚାରୀଙ୍କ ଭିତରେ ହୋଇଥିଲା ପାଟିତୁଣ୍ଡ । ଆନନ୍ଦପୁର ଥାନା ଚକ୍ରତୀର୍ଥରୁ ନିଜ ଘର ପୁରୁଣା ଘାଟି ଫେରୁଥିବା ସମୟରେ କିଷାନ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ବାଇକ ସ୍ଲିପ ହୋଇଯିବାରୁ ସେ ଦୁର୍ଘଟଣାର ଶିକାର ହୋଇଥିଲେ । ଯାହାପରେ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ।
କିନ୍ତୁ ଆମ୍ବୁଲାନ୍ସ ଘଟଣାସ୍ଥଳକୁ ନଯାଇ ନିକଟସ୍ଥ ତରତରା ଛକରେ ଗାଡି ରଖି ଦୀର୍ଘ ସମୟ ଧରି ଛିଡା ହୋଇ ରହିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ସମ୍ପର୍କୀୟ । ପରେ ସେଠାରୁ ଗୁରୁତରଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ପରିବାର ଲୋକେ । ହେଲେ ଡାକ୍ତର କିଷାନଙ୍କୁ ମୃତ ଘୋଷଣା କରିଥିଲେ । ଯାହା ପରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଓ ସମ୍ପର୍କୀୟ ମଧ୍ୟରେ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଆମ୍ବୁଲାନ୍ସ କର୍ମଚାରୀଙ୍କ ଅବହେଳା ଯୋଗୁଁ କିଷାନଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।
ଅନ୍ୟପଟେ ଏହି ଘଟଣାରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ ଏହି ଘଟଣାରେ କାହାର ଦୋଷ ତାହା ତଦନ୍ତ ପରେ ହିଁ ଜଣାପଡିବ । ଯଦି ଏହି ଅଭିଯୋଗ ସତ ତେବେ ଦୋଷୀଙ୍କୁ ଦଣ୍ଡ ମିଳିବା ଦରକାର । ନଚେତ ପର ସମୟରେ କିଷାନଙ୍କ ଭଳି ଅନ୍ୟ କାହାର ମଧ୍ୟ ଜୀବନ ଯାଇପାରେ ।
Also read: ପ୍ରଥମେ ଲୁଟି ନେଲେ ୨୦ ହଜାର ଟଙ୍କା, ପୁଣିଥରେ ଉଦ୍ୟମ ବିଫଳ ହେବାରୁ ଚଳାଇଦେଲେ ଗୁଳ