ପୋଲିସ ଗାଡ଼ିକୁ ଧକ୍କା ଦେଲା ଆମ୍ବୁଲାନ୍ସ, ହୋମଗାର୍ଡଙ୍କ ମୃତ୍ୟୁ

ଉଦଳା:  ପାଟ୍ରୋଲିଂ ବେଳେ ପୋଲିସ୍‌ ଗାଡ଼ିକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ । ଏହି ଦୁର୍ଘଟଣାରେ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି।  ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ଆଇଆଇସି, ଡ୍ରାଇଭର ତଥା ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଓ ହେଲପର ଅଛନ୍ତି।  ଏଭଳି ଘଟଣା ଗତକାଲି ବିଳମ୍ବିତ ରାତିରେ ଉଦଳା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ସାମ୍ନାରେ ଘଟିଛି ।  ଗୁରୁତର ଅବସ୍ଥାରେ ୪ଜଣଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ ଗତ ରାତିରେ ଉଦଳା ଥାନା ପୋଲିସ୍‌ ଗାଡ଼ି ପାଟ୍ରୋଲିଂରେ ବାହାରିଥିଲା । ଉକ୍ତ ଗାଡ଼ିରେ ଆଇଆଇସିଙ୍କ ସମେତ ଅନ୍ୟ କର୍ମଚାରୀ ଥିଲେ ।  ଗାଡ଼ିଟି ଉଦଳା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ସାମ୍ନାରେ ଛିଡ଼ା ହୋଇଥିଲା ।  ଏହି ସମୟରେ ରୋଗୀ ଛାଡ଼ି ଉଦଳା ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ଏକ ୧୦୮ ଆମ୍ବୁଲାନ୍ସ ପୋଲିସ୍‌ ଭ୍ୟାନ୍‌କୁ ଜୋରରେ ଧକ୍କା ଦେଇଥିଲା । ଧକ୍କା ଏତେ ଜୋର ଥିଲା ଯେ ପୋଲିସ୍‌ ଗାଡ଼ିଟି ପ୍ରାୟ ୩ ଥର ଓଲଟି ପଡ଼ିଥିଲା । ଆଉ ତାହା ତଳେ କର୍ମଚାରୀମାନେ ଚାପି ହୋଇ ରହି ଯାଇଥିଲେ ।  ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡ଼ି ଭିତରୁ ସମସ୍ତଙ୍କୁ ବାହାର କରିଥିଲେ ।  ସମସ୍ତଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତୁରନ୍ତ ସେମାନଙ୍କୁ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା ।  ସେଠାରେ ଡାକ୍ତର ଜଣେ ହୋମଗାର୍ଡ଼ଙ୍କୁ ମୃତ ଘୋଷଣା କରିଥିଲେ।ଦୁର୍ଘଟଣାରେ ପୋଲିସ ଗାଡି ଚୁରମାର ହୋଇଯାଇଛି। ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

You might also like