କ୍ଷତିପୂରଣ ଦାବିରେ ଆମ୍ବୁଲାନ୍ସ କର୍ମଚାରୀ ସଂଘର ୧୬ ନଂ ଜାତୀୟ ରାଜପଥ ଅବରୋଧ, ବ୍ୟାପକ ପୋଲିସ ମୁତୟନ

ଯାଜପୁର : କ୍ଷତିପୂରଣ ଦାବିରେ ଆମ୍ବୁଲାନ୍ସ କର୍ମଚାରୀ ସଂଘର ଜାତୀୟ ରାଜପଥ ଅବରୋଧ । ୧୬ନଂ ଜାତୀୟ ରାଜପଥ ଗୋକର୍ଣ୍ଣେଶ୍ଵର ମନ୍ଦିର ନିକଟରେ ଆଜି ଅପରାହ୍ନରେ ସଂଘ ପକ୍ଷରୁ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି । ଗତକାଲି ଜଣେ ଆମ୍ବୁଲାନ୍ସ କର୍ମଚାରୀଙ୍କ ଡ୍ୟୁଟିରେ ଥିବା ସମୟରେ ମୃତ୍ୟୁ ଘଟିଥିଲା । ଆଜି ମୃତଦେହ ବ୍ୟବଛେଦ ହୋଇ ଆସିବା ପରେ ଶବକୁ ରଖି ରାସ୍ତା ଅବରୋଧ କରିଛି ସଂଘ ।

ଅଭିଯୋଗ ମୁତାବକ, ଗତକାଲି ରସୁଲପୁର ବ୍ଲକ ଅନ୍ତର୍ଗତ ଓଡିଶୋ ପଞ୍ଚାୟତ ମାନପୁର ଗ୍ରାମର ୧୦୮ କର୍ମଚାରୀ ପ୍ରଶାନ୍ତ କୁମାର ଦାସ ଡ୍ୟୁଟିରେ ଥିବା ସମୟରେ ଗାଡିରୁ ଖସିପଡି ମୃତ୍ୟୁ ବରଣ କରିଥିଲେ । ତେବେ ଦାୟିତ୍ଵରେ ଥିବା ସଂସ୍ଥା ଏନେଇ କିଛି ସହାୟତା ପ୍ରଦାନ କରିନାହିଁ । ଫଳରେ ଆଜି ଯାଜପୁର ଜିଲ୍ଲାରେ କାର୍ଯ୍ୟରତ ଶତାଧିକ ଆମ୍ବୁଲାନ୍ସ କର୍ମଚାରୀ ଏକାଠି ହୋଇ ସମ୍ପୃକ୍ତ ସଂସ୍ଥା ବିରୋଧରେ ଗର୍ଜିବା ସହ ମୃତକ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦାବି କରି ଜାତୀୟ ରାଜପଥରେ ଟାୟାର ଜାଳି ଅବରୋଧ କରିଥିଲେ ।

ଖବର ପାଇ ଯାଜପୁରରୋଡ଼ ଏସଡିପିଓ ସଞ୍ଜୟ ପଟନାୟକ, ସିଡିଏମଓ ଡା. ଶିବାଶିଷ ମହାରଣାଙ୍କ ସମେତ ଧର୍ମଶାଳା, କୁଆଖିଆ, ବଡ଼ଚଣା ଥାନାର ଥାନା ଅଧିକାରୀ ପହଂଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି । ସଂଘ ପକ୍ଷରୁ ରଖାଯାଇଥିବା ଦାବିଗୁଡିକୁ ପ୍ରଶାସନ ନମାନିଲେ ଆସନ୍ତାକାଲି ଠାରୁ ୧୦୮ଆମ୍ବୁଲାନ୍ସ ସେବାକୁ ଅଚଳ କରି ଦିଆଯିବ ବୋଲି ସଂଘର ନେତା ମାନେ ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ସମ୍ପୃକ୍ତ ସଂସ୍ଥା ସହ ଆଲୋଚନା କରାଯାଇ କ୍ଷତିପୂରଣ ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି ସିଡିଏମଓ କହିଛନ୍ତି । ତେବେ ପୋଲିସ ପ୍ରଶାସନ ବୁଝାସୁଝା କରି ଜାତୀୟ ରାଜପଥରେ ଗାଡି ଚଳାଚଳକୁ ସ୍ୱାଭାବିକ କରିଥିବା ବେଳେ ଆନ୍ଦୋଳନକାରୀମାନେ ଜିଦରେ ଅଟଳ ରହିଥିବା ଦେଖିବାକୁ ମିଳିଛି ।

You might also like