ଜଣେ ବାପାର ଆକୁଳ କୋହ, ଟ୍ରାଫିକ୍‌ ଜାମ୍‌ ଓ ଡାକ୍ତରଙ୍କୁ ଦୋଷ ଦେଲେ

(ଭୁବନେଶ୍ୱର) : ‘‘ମୋ ପୁଅ ଠିକଣା ସମୟରେ ଚିକିତ୍ସା ପାଇଲା ନାହିଁ । ଡାକ୍ତର ଅବହେଳା କଲେ । ପୁଅକୁ କ୍ୟାପିଟାଲ ହସପିଟାଲରୁ ନେଇ ଘରୋଇ ଡାକ୍ତରଖାନାକୁ ଯାଉଥିଲି । ବାଟରେ ଟ୍ରାଫିକ୍‌ ଏମିତି ଜାମ୍‌ ହେଲା ଯେ ଆମ୍ବୁଲାନ୍ସକୁ ବି ଛାଡ଼ିଲେ ନାହିଁ । ମୋ ପୁଅ ମରିଗଲା ।’’ ଏ କଥା ଆଜି କହୁଥିଲେ ଭୋ ଭୋ ହୋଇ କାନ୍ଦୁଥିବା ଜଣେ ବାପା । ଯାହା ,କ ଗପ ନୁହେଁ, ସତରେ ଘଟିଛି ଖୋଦ୍‌ ରାଜଧାନୀ ଭୁବନେଶ୍ୱରରେ ।

MOTHERକେନ୍ଦ୍ରାପଡ଼ାର ଏହି ବ୍ୟକ୍ତି ଜଣକ ନିଜର ପାଞ୍ଚ ବର୍ଷର ପୁଅକୁ ଗୁରୁତର ଅସୁସ୍ଥ ଅବସ୍ଥାରେ କ୍ୟାପିଟାଲ ହସପିଟାଲକୁ ଆଣିଥିଲେ । ହେଲେ ଡାକ୍ତର ଭଲ ଭାବେ ଚିକିତ୍ସା କଲେ ନାହିଁ । କଟକ ରେଫର କରିଦେଲେ । ତେବେ କଟକ ଯିବା ପରିବର୍ତ୍ତେ ବ୍ୟକ୍ତି ଜଣକ ପିଲାଟିକୁ ତୁରନ୍ତ ଆମ୍ବୁଲାନ୍ସରେ ପଟିଆ ସ୍ଥିତ ଏକ ଘରୋଇ ହସପିଟାଲକୁ ନେଉଥିଲେ । ସମସ୍ତେ ଜାଣନ୍ତି ଜୟଦେବ ବିହାରରୁ କିଟ୍‌ ଛକ ଯାଏ ରାସ୍ତାଟି କିଭଳି ଭାବେ ଟ୍ରାଫିକ୍‌ ଜାମ୍‌ ରହେ । ସେହି ରାସ୍ତାରେ ଜାମ୍‌ ଭିତରେ ଫସି ରହିଗଲା ଆମ୍ବୁଲାନ୍ସ । ଚିକିତ୍ସାରେ ଖୁବ୍‌ ବିଳମ୍ବ ହେଲା । ଆଉ ପାଞ୍ଚ ବର୍ଷର ପିଲାଟି ଆଉ ବଞ୍ଚି ପାରିଲା ନାହିଁ ।

ଦିନକୁ ଦିନ ବଢ଼ି ଚାଲିଛି ରାଜଧାନୀର ଟ୍ରାଫିକ୍‌ । ରାସ୍ତା ଯେତିକି ଚଉଡ଼ା ହେଉଛି ତାକୁ ତାଳ ଦେଇ ଯେମିତି ସେତିକି ପରିମାଣରେ ବଢ଼ିଯାଉଛି ଯାନବାହନ । ତା ସାଙ୍ଗକୁ ପ୍ରତ୍ୟେକ ଛକରେ ଜଗି ରହିଛନ୍ତି ଟ୍ରାଫିକ୍‌ ପୋଲିସ୍‌ କିମ୍ବା ଟ୍ରାଫିକ୍‌ ଲାଇଟ୍‌ । ଯଦି ଆପଣ ସିଆରପି ଛକରୁ ପାଓ୍ଵାର ହାଉସ୍‌ ଛକ ଦେଇ ରାମ ମନ୍ଦିର ଯାଉଛନ୍ତି ତେବେ ଅତି କମ୍‌ରେ ଆପଣଙ୍କୁ ୭ରୁ ୮ଟି ଟ୍ରାଫିକ୍‌ ଦେଇ ଯିବାକୁ ହେବ । ଇଏ ଖାଲି ଏକ ଉଦାହରଣ । ରାଜଧାନୀର ଅନ୍ୟ ରାସ୍ତା ସବୁର ଅବସ୍ଥା ମଧ୍ୟ ସମାନ । ସେହିଭଳି, ଯଦି ଟିକେ ଭଲ କରି ନଜର କରିବେ ତେବେ ଦେଖିବେ ଯେ ଅନେକ ସମୟରେ ଟ୍ରାଫିକ୍‌ରେ ଆମର ଲୋକମାନେ ଆମ୍ବୁଲାନ୍ସକୁ ବି ଛାଡୁ ନାହାନ୍ତି । ସାଇରନ୍‌ ବଜାଇ ଆସିଲେ ବି ତାଙ୍କ ଉପରେ ପ୍ରଭାବ ପଡୁନାହିଁ । ଯଦି ଟ୍ରାଫିକ୍‌ ପୋଲିସ୍‌ ଉପସ୍ଥିତ ଅଛନ୍ତି ତେବେ ସେ ରାସ୍ତା ସଫା କରି ଦେଉଛନ୍ତି । ନଚେତ ଆମ୍ବୁଲାନ୍ସକୁ ଅପେକ୍ଷା କରିବାକୁ ପଡୁଛି ।
ଆଜିର ଘଟଣା ଆମ ଟ୍ରାଫିକ୍‌ ବ୍ୟବସ୍ଥାର ଏକ କଳଙ୍କିତ ଉଦାହରଣ । ଉଭୟ ଟ୍ରାଫିକ୍‌ କର୍ମଚାରୀ ଓ ଜନସାଧାରଣ ଏଭଳି ସମବେଦନଶୀଳ ସ୍ଥିତିରେ ଅଧିକ ସଚେତନ ରହିବା ଦରକାର ।