American tourist : ଓଡିଶାର ଚିକିତ୍ସାକୁ ପ୍ରଂଶସା କଲେ ଆମେରିକୀୟ ପର୍ଯ୍ୟଟକ, ସୋସିଆଲ ମିଡିଆରେ ସେୟାର କଲେ ନିଜର ଅନୁଭୂତି

ଉମରକୋଟ : ଓଡିଶାର ଚିକିତ୍ସାକୁ ପ୍ରଂଶସା କଲେ ଆମେରିକୀୟ ପର୍ଯ୍ୟଟକ । ବିଦେଶରୁ ଆସିଥିବା ଜଣେ ପର୍ଯ୍ୟଟକଙ୍କୁ ମିଳିଲା ଓଡ଼ିଶା ସରକାରଙ୍କ ମାଗଣା ସ୍ୱାସ୍ଥ୍ୟସେବା । ସୁସ୍ଥ ହେବା ପରେ ଓଡ଼ିଶାର ସ୍ୱାସ୍ଥ୍ୟ ସେବାକୁ ପ୍ରଶଂସା ରେ ପୋତି ଦେଲେ ଆମେରିକୀୟ ପର୍ଯ୍ୟଟକ ମାଇକ ନୁନ୍ । ସୋସିଆଲ ମିଡିଆରେ ମଧ୍ୟ ନିଜ ଅନୁଭୂତି ସେୟାର କରିଛନ୍ତି । ଯେଉଁ ଚିକିତ୍ସା ପାଇଁ ବିଦେଶରେ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡି ଥାନ୍ତା ତାହା ସେ ସମ୍ପୂର୍ଣ ମାଗଣାରେ ପାଇଛନ୍ତି । ନବରଙ୍ଗପୁର ଜିଲ୍ଲା ପୂଜାରୀଗୁଡ଼ାରେ ଗତ ସପ୍ତାହେ ଧରି ରହୁଥିଲେ ମାଇକ୍ । ସେଠାରେ ଏକ ସ୍ଥାନୀୟ ପରିବାର ସହ ମିଶିଥିଲେ । ଗାଁର ପରିବେଶ, ଲୋକଙ୍କ ସରଳ ଜୀବନ ଓ ଆତିଥ୍ୟ ତାଙ୍କୁ ବେଶ୍ ଆକର୍ଷିତ କରିଥିଲା । ପରିବାର ସଦସ୍ୟଙ୍କ ସହ ଖାଇବା, ଗାଁରେ ବୁଲିବା ଏବଂ ସମସ୍ତଙ୍କ ସହ ମିଶିବାରେ ଖୁସି ପାଉଥିଲେ ମାଇକ୍ । ଘରେ ରୋଷେଇ ସମୟରେ ତାଙ୍କ ପସନ୍ଦ ଅନୁଯାୟୀ କମ୍ ଲଙ୍କା ଦେଇ ଖାଦ୍ୟ ପ୍ରସ୍ତୁତ କରା ଯାଉଥିଲା ।

ଅଗଷ୍ଟ ୮ ତାରିଖ ସକାଳ ପ୍ରାୟ ୯ଟା ୪୫ରେ ହଠାତ୍ ଅସୁସ୍ଥ ଅନୁଭବ କରି ପୂଜାରୀଗୁଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ । ଛାତି ଜଳାପୋଡ଼ା, ତୀବ୍ର ଗ୍ୟାଷ୍ଟ୍ରାଇଟିସ୍, ବାରମ୍ବାର ବାନ୍ତି ଏବଂ ସାମାନ୍ୟ ଡିହାଇଡ୍ରେସନ୍ ଥିବା ଡାକ୍ତରୀ ଯାଞ୍ଚରେ ଜଣାପଡ଼ିଥିଲା। ଡାକ୍ତର ତାଙ୍କୁ ପରୀକ୍ଷା କରିବା ପରେ ଆବଶ୍ୟକ ଇଞ୍ଜେକ୍ଟେବଲ୍ ଔଷଧ ଏବଂ ଆଇଭି ଫ୍ଲୁଇଡ୍ ଦେବାକୁ ପରାମର୍ଶ ଦେଇଥିଲେ । ପରେ ତାଙ୍କୁ ଇନ୍ ଡୋର୍ ରେ ରଖି ପ୍ରାୟ ଦେଢ ଘଣ୍ଟା ଅବଜର୍ଭେସନରେ ରଖାଯାଇଥିଲା । ଏହି ସମୟରେ ମଝିରେ ମଝିରେ ତାଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା । ଚିକିତ୍ସା ପରେ ମାଇକ୍ ନିଜକୁ ସୁସ୍ଥ ଅନୁଭବ କରିଥିବା କହିଥିଲେ। ଆଉ ଅଧିକ ସମୟ ହସ୍ପିଟାଲରେ ରହିବାକୁ ଇଚ୍ଛା ନଥିବାରୁ ତାଙ୍କୁ ଆବଶ୍ୟକ ଔଷଧ ଯୋଗାଇ ଡିସଚାର୍ଜ କରାଯାଇଥିଲା । ସରକାରୀ ବ୍ୟବସ୍ଥା ଅନୁଯାୟୀ ନିରାମୟ ଯୋଜନା ସହ ଆବଶ୍ୟକ ସ୍ୱାସ୍ଥ୍ୟସେବା ନିଶୁଳ୍କରେ ପାଇ ମାଇକ୍ ବେଶ୍ ଖୁସି ହୋଇଥିଲେ।“ଭାରତର ଏହି ସ୍ୱାସ୍ଥ୍ୟସେବା ଏବଂ ହସ୍ପିଟାଲର କର୍ମଚାରୀଙ୍କ ବ୍ୟବହାର ତାଙ୍କୁ ଭଲ ଲାଗିଥିଲା। ହସ୍ପିଟାଲରୁ ଯିବା ପୂର୍ବରୁ ମାଇକ୍ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଦେବା ସହ ନିଜର ସକାରାତ୍ମକ ଅନୁଭୂତି ବାଣ୍ଟିଥିଲେ।

 

ଆହୁରି ପଢ଼ନ୍ତୁ : ବନ୍ୟା ବିପନ୍ନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ,ସମସ୍ୟା ବୁଝିଲେ, ତୁରନ୍ତ ସହାୟତା ପାଇଁ ପ୍ରଶାସନକୁ ଦେଲେ ନିର୍ଦ୍ଦେଶ