ଦଶହରା ପାଇଁ କମ୍ପୁଛି କଟକ ସହର, ବାଖରାବାଦରେ ମା’ ଦୁର୍ଗା ନୁହେଁ ପୂଜା ପାଉଛନ୍ତି ଭାରତମାତା

କଟକ : ଦଶହରା ପାଇଁ କମ୍ପୁଛି ଟୁଇନ୍ ସିଟି । ଦୁଇ ସହରରେ ଆଖି ଝଲସାଇବା ଭଳି ତୋରଣ, ମଣ୍ଡପ ଓ ମୂର୍ତ୍ତି  । ଭିନ୍ନ ଭିନ୍ନ ଥିମରେ ତିଆରି ହୋଇଛି ସୁଉଚ୍ଚ ତୋରଣ । ପ୍ରତି ମଣ୍ଡପରେ ଅଦ୍ଭୂତ କଳା କାରିଗରୀ  । ମାଆଙ୍କ ମୂର୍ତ୍ତି ବି ବେଶ କମନୀୟ । ଏପରିକି କଟକର ସର୍ବତ୍ର ପୂଜା ମଣ୍ଡପରେ ମା ଦୁର୍ଗା ଓ ଶିବପାର୍ବତୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଥିବା ବେଳେ ଏକମାତ୍ର ବାଖରାବାଦରେ ପୂଜାମଣ୍ଡପରେ ପୂଜା ପାଆନ୍ତି ଭାରତମାତା । ଏଠାରେ ଭାରତମାତା ମା ଦୁର୍ଗାଙ୍କ ରୂପରେ ପୂଜା ପାଆନ୍ତି । ଭସାଣ ଶୋଭାଯାତ୍ରା ମଧ୍ଯ ଏହି ସାହିର ନିଆରା  ।

ଭସାଣି ଦିନ ସମସ୍ତ ଶୋଭାଯାତ୍ରାକାରି ଧଳା ବସ୍ତ୍ର ପିନ୍ଧି ହାତରେ ତିରଙ୍ଗା ପତାକା ଧରି ଯାଆନ୍ତି । କେବଳ ଦେଶାତ୍ମବୋଧକ ସଙ୍ଗୀତ ଶୋଭାଯାତ୍ରାରେ ପରିବେଷଣ ହୁଏ ବକ୍ସ ଡ଼ାକବାଜି ଯନ୍ତ୍ରରେ। ଗତବର୍ଷଠାରୁ ଶୋଭାଯାତ୍ରାରେ ସ୍ଥାନ ପାଉଛି କନ୍ୟାପୂଜନ ରଥ  ।  ଏହି ରଥରେ ମହାଦୁର୍ଗା, ମହାକାଳୀ ଓ ମହାଲକ୍ଷ୍ମୀ ରୂପରେ ବିଭୂଷିତା ହୋଇ ତିନୋଟି କନ୍ୟା ଯାଇଥାନ୍ତି ।  ସ୍ଥାନେ ସ୍ଥାନେ ଲୋକମାନେ କନ୍ୟାପୂଜନ କରିଥାନ୍ତି ।  ପ୍ରତ୍ୟେକ କନ୍ୟା ମା ଭଗବତୀ ମା ଦୁର୍ଗାଙ୍କ ରୂପ ଏହା ପୂଜା କମିଟି କନ୍ୟାପୁଜନ ରଥ ମାଧ୍ୟମରେ ପ୍ରଚାର କରିଥାନ୍ତି  ।

ଏବର୍ଷ ବୃକ୍ଷରୋପଣ ଓ ପରିବେଶ ସଂରକ୍ଷଣ ଉପରେ ସଚେତନତା ସୃଷ୍ଟିପାଇଁ କମିଟି ଏକ ଅଭିନବ ପ୍ରୟାସ କରିଛି ବୋଲି ସମ୍ପାଦକ ଶ୍ରୀରାଜୀବ ନନ୍ଦ, ସଭାପତି ଶ୍ରୀ ଦେବାଶିଷ ବେହେରା, ଯୁବକ ସଂଘ ସଂପାଦକ ଶ୍ରୀ ଚନ୍ଦନ ସେଠୀ ଓ ସଭାପଟି ଶ୍ରୀ ପ୍ରକାଶ ବାରିକ ଏକ ମିଳିତ ବିବୃତିରେ ପ୍ରକାଶ କରିଛନ୍ତି  ।  ଭସାଣ ଶୋଭାଯାତ୍ରାରେ ଏକ ବୃକ୍ଷ ମଧ୍ୟରେ ମା ଦୂର୍ଗାଙ୍କ ମୂର୍ତ୍ତି ସ୍ଥାନିତ ହେବ । ୧୦୦୦ ଚାରା ଭସାଣି ଶୋଭାଯାତ୍ରାରେ ବିତରଣ କରାଯିବ  । ପ୍ରକୃତି ହିଁ ମା ଦୁର୍ଗା, ପ୍ରକୃତି ଅନୁରାଗ ହିଁ ମାତୃକୃପା ପ୍ରାପ୍ତିର ଶ୍ରେଷ୍ଠ ପନ୍ଥା ବୋଲି ବାର୍ତ୍ତା ପ୍ରଚାର ହେବ ।  ଚାରା ସହ ମାଆଙ୍କ ଫୋଟୋ ଚିତ୍ର ବିତରଣ ହେବ, ଯେଉଁଥିରେ ଲେଖାଥିବ… ମୁଁ ଶ୍ରୀ ଦୁର୍ଗା ବୃକ୍ଷରୂପରେ ତୋ ଘରେ ପ୍ରବେଶ କଲି, ଏହି ବୃକ୍ଷ ଯେତେ ପୁଷ୍ପିତ ଓ ପଲ୍ଲବିତ ହେବ, ତୋ ଜୀବନ ସେତେ କୁସୁମିତ ହେବ ।  ପୂଜାରେ ନାଆଁରେ ସମ୍ପ୍ରତି ବିଶୃଙ୍ଖଳତା ବ୍ୟାପୁଥିଲା ବେଳେ ବାସ୍ତବରେ ବାଖରାବାଦ୍ ପୂଜା କମିଟିର ପ୍ରୟାସ ପ୍ରଶଂସନୀୟ ।