ଆଜି ହାଇଭୋଲଟେଜ୍ ପ୍ରଚାର: ଓଡିଶା ଆସୁଛନ୍ତି ନଡ୍ଡା, ଶାହ ଏବଂ ରାହୁଲ
ନିର୍ବାଚନ ପାଇଁ ପ୍ରଚାର ମୈଦାନ ସରଗରମ । ରାଜ୍ୟକୁ ଛୁଟୁଛି କେନ୍ଦ୍ରୀୟ ନେତାଙ୍କ ସୁଅ । ଆଜି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ କଂଗ୍ରେସ ନେତା ରାହୁଲ ଗାନ୍ଧି । ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଂଚିବା ପରେ ଦଳୀୟ କର୍ମଶାଳାରେ ଯୋଗ ଦେବେ ।
ଭୁବନେଶ୍ୱର (କେନ୍ୟୁଜ): ନିର୍ବାଚନ ପାଇଁ ପ୍ରଚାର ମୈଦାନ ସରଗରମ । ରାଜ୍ୟକୁ ଛୁଟୁଛି କେନ୍ଦ୍ରୀୟ ନେତାଙ୍କ ସୁଅ । ଆଜି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ କଂଗ୍ରେସ ନେତା ରାହୁଲ ଗାନ୍ଧି । ଦିନ ୧୨ଟା ୩୦ ମିନିଟରେ ଶାହା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ବିମାନବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ଅପରାହ୍ଣ ଗୋଟାଏ ୩୦ ମିନିଟରେ ସୋରଡ଼ାରେ ପହଞ୍ଚିବେ । ଦଳୀୟ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗଦେବେ ଶାହ । ପରେ ଅପରାହ୍ନ ୩ଟା ୩୦ ମିନିଟରେ ବୌଦ୍ଧରେ ପହଞ୍ଚି ଦଳୀୟ ସମାବେଶରେ ଯୋଗଦେବେ । ସେଠାରୁ ଫେରି ସନ୍ଧ୍ୟା ୫ଟା ୩୦ ମିନିଟରେ କଟକ ରୋଡ ସୋରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଦଳର ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଓ ବିଧାୟକମାନଙ୍କୁ ସାଙ୍ଗରେ ଧରି ଏହି ରୋଡ୍ ଶୋ’ କରିବେ । ଏହାପରେ ଭୁବନେଶ୍ୱର ବାଟ ଦେଇ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।
ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଂଚିବା ପରେ ଦଳୀୟ କର୍ମଶାଳାରେ ଯୋଗ ଦେବେ । ଭୁବନେଶ୍ୱରରେ ରାତିଯାପନ କରି ୧୬ତାରିଖ ସକାଳେ ବରଗଡ଼ ଜିଲ୍ଲାର ପଦ୍ମପୁର ଓ ସୁନ୍ଦରଗଡ଼ଠାରେ ଦଳର ‘ବିଜୟ ସଂକଳ୍ପ ସମାବେଶ’ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଅପରପକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ପୂର୍ବାହ୍ନ ୧୧ଟାରେ ଭୁବନେଶ୍ୱରରେ ପହଂଚି ସିଧାସଳଖ ବଲାଙ୍ଗୀର ଯିବେ । ସେଠାରେ ନିର୍ବାଚନୀ ସଭା ଓ ବାଇକ ରାଲିରେ ସାମିଲ ହୋଇ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ବଲାଙ୍ଗୀର ବିଧାନସଭା ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ପାଇଁ ରାହୁଲ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ଜଣାପଡ଼ିଛି ।