ଅମିତଙ୍କୁ ନିଜ ଜନ୍ମ ମାଟିରେ ଭବ୍ୟ ସ୍ଵାଗତ କଲେ ପରିବାର ବର୍ଗ ଓ ଗ୍ରାମବାସୀ

ସୁନ୍ଦରଗଡ଼: ଚଳିତ ବର୍ଷ ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଜିତି ନିଜ ଜନ୍ମ ମାଟି ତଥା ଦେଶ ପାଇଁ ଗୌରବ ଆଣିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବାଲିସଙ୍କରା ବ୍ଲକ ସଉନାମରା ଗାଁର ପୁଅ ଅମିତ ରୋହିଦାସ । ଏହି ଦଳରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଅମିତ ସାମିଲ ହୋଇ ଓଡ଼ିଶା ତଥା ଓଡ଼ିଆ ଜାତି ପାଇଁ ଗର୍ବ ଆଣିଛନ୍ତି । ତେବେ ହକି ଆଲମ୍ପିଆଡ ଖେଳାଳି ଅମିତ ରୋହିଦାସ ଓଡ଼ିଶାକୁ ଫେରିଥିବା ବେଳେ ମୁଖ୍ୟମନ୍ତ୍ରୀ ଏବଂ ବିଭିନ୍ନ ସଙ୍ଗଠନ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଆଜି ନିଜ ପୈତୃକ ଗ୍ରାମ ସୁନ୍ଦରଗଡ଼ ଜିଲ୍ଲା ବାଲିସଙ୍କରା ବ୍ଲକ ସଉନାମରା ନିଜ ବାସ ଭବନ ପହଞ୍ଚିବା ପରେ ତାଙ୍କ ପରିବାର ବର୍ଗଙ୍କ ସମେତ ଗ୍ରାମବାସୀ ସମସ୍ତେ ଭବ୍ୟ ସ୍ଵାଗତ କରିଥିଲେ।
ପରିବାରର ସମସ୍ତେ ତାଙ୍କୁ ହଳଦୀ ପାଣିରେ ଗୋଡ ଧୋଇବା ସହ ଫୁଲ ଚନ୍ଦନ ଦେଇ ଶୁଭ ମନାସି ଥିଲେ । ଆଦିବାସୀ ନୃତ୍ୟର ତାଳେ ତାଳେ ଗାଁ ମୁଖ୍ୟ ରାସ୍ତାରୁ ଘର ପର୍ଯ୍ୟନ୍ତ ପୁଷ୍ପ ଦେଇ ପାଛୋଟି ନେଇଥିଲେ । ଏନେଇ ପରିବାର ଲୋକଙ୍କ ସମେତ ଗାଁ ରେ ଖୁସିର ଲହରୀ ଖେଳିଯାଇଛି । ଆଜି ଦ୍ୱିତୀୟ ଥର ପାଇଁ ଅମିତ ଗାଁ ତଥା ଦେଶ ପାଇଁ ଗୌରବ ଆଣି ଦେଇଛନ୍ତି ବୋଲି କହିଛନ୍ତି ପରିବାର ଲୋକେ । ତେବେ ଏହି ଅବସରରେ ଆଜି ସଉନାମରା ହାଇସ୍କୁଲ ପଡ଼ିଆରେ ଏକ ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।