ବିଧାନସଭାରେ ଆସିଲା ୧୬, ୮୦୦କୋଟି ଟଙ୍କାର ଅତିରିକ୍ତ ବଜେଟ୍‌:  ନଜର ପକାନ୍ତୁ କେଉଁ କେଉଁ ବିଭାଗ ପ୍ରତି ହୋଇଛି କେତେ ବ୍ୟୟବରାଦ

ଭୁବନେଶ୍ବର(କେନ୍ୟୁଜ୍): ଆସିଲା ୧୬ ହଜାର ୮ଶହ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ୨୦୨୨-୨୩। ଫୋକସରେ ରହିଛି ସ୍ୱାସ୍ଥ୍ୟ, ଶିକ୍ଷା, ଜଳସମ୍ପଦ, ବିପର୍ଯ୍ୟୟ ପରିଚାଳନା। ୧୬ ହଜାର ୮୦୦ କୋଟି ଟଙ୍କା ମଧ୍ୟରୁ ପ୍ରଶାସନିକ ବ୍ୟୟ ରହିଛି ୪ ହଜାର ୯୩୪ କୋଟି ଟଙ୍କା। କାର୍ଯ୍ୟକ୍ରମ ବ୍ୟୟ ୯ ହଜାର ୨୦୦ କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୨ ହଜାର ୬୧୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।

ସବୁଠାରୁ ଅଧିକ ବ୍ୟୟ ବରାଦ ଅର୍ଥ ବିଭାଗ ପାଇଁ ହୋଇଛି। ବିଭାଗକୁ ମିଳିବ ଅତିରିକ୍ତ ୪ ହଜାର ୨୫୩ କୋଟି ୬୦ ଲକ୍ଷ ଟଙ୍କା। ବିପର୍ଯ୍ୟୟ ପରିଚାଳନା ବିଭାଗକୁ ୨ ହଜାର ୬୩୫ କୋଟି ଟଙ୍କା, ଜଳ ସମ୍ପଦ ବିଭାଗକୁ ୧ ହଜାର ୫୯୫ କୋଟି ଟଙ୍କା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ୧ ହଜାର ୧୦୧ କୋଟି ଟଙ୍କା, ବିଦ୍ୟାଳୟ ଓ ଗଣଶିକ୍ଷା ଭିବାଗକୁ ୯୨୧ କୋଟି ୮୧ ଲକ୍ଷ ଟଙ୍କା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ୮୫୪ କୋଟି ୯୫ ଲକ୍ଷ ଟଙ୍କା, ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗକୁ ୭୮୨ କୋଟି ଟଙ୍କା, ଶିଳ୍ପ ବିଭାଗକୁ ୬୦୨ କୋଟି ୭୬ ଲକ୍ଷ ଟଙ୍କା, ଗ୍ରାମ୍ୟ ଉନ୍ନୟନ ବିଭାଗକୁ ୫୫୨ କୋଟି ଟଙ୍କା, ଏସ୍‌ସି, ଏସ୍‌ଟି ଓ ସଂଖ୍ୟାଲଘୁ ବିଭାଗ ପାଇଁ ୫୨୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।

ଅତିରିକ୍ତ ବଜେଟ୍‌ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୬୩୮ କୋଟି ଟଙ୍କା, କ୍ରୀଡ଼ା ଭିତ୍ତିଭୂମି ବିକାଶ ପାଇଁ ୫୦୮ କୋଟି ଟଙ୍କା, ମୋ ସ୍କୁଲ ଅଭିଯାନ ପାଇଁ ୩୦୬ କୋଟି ଟଙ୍କା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଯୋଜନା ପାଇଁ ୩୦୧ କୋଟି ଟଙ୍କା ଓ ଟଙ୍କିକିଆ ଚାଉଳ ଯୋଗାଣ ପାଇଁ ୧୬୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପର କାମ ସମ୍ପୂର୍ଣ୍ଣ କରିବା, ମରୁଡି ଯୋଗୁ ଖରିଫ ଫସଲ ହାନି ପାଇଁ କୃଷକଙ୍କୁ ସହାୟତା ପ୍ୟାକେଜ, ପ୍ରଚଳିତ ଏବଂ ନୂଆ କେନ୍ଦ୍ର ଯୋଜନା ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା, ଆକସ୍ମିକ ପାଣ୍ଠିରୁ ନିଆଯାଇଥିବା ଅଗ୍ରୀମ ଭରଣା ଆଦି ପାଇଁ ଅତିରିକ୍ତ ବଜେଟ୍‌ ଅଣାଯାଇଥିବା ସରକାରଙ୍କ ତରଫରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.