ଭୁବନେଶ୍ୱର : କୋଲକାତାରେ ରେସିଡେଣ୍ଟ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଏମ୍ସ ଡାକ୍ତର । ଭୁବନେଶ୍ବର ଏମ୍ସରେ ସିନିୟର ରେସିଡେଣ୍ଟ, ଜୁନିୟର ରେସିଡେଣ୍ଟ, ଡାକ୍ତରୀ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପୀଡ଼ିତାଙ୍କୁ ନ୍ୟାୟ , ସଠିକ୍ ତଦନ୍ତ, ଡାକ୍ତରଙ୍କୁ ସୁରକ୍ଷା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ମୁଣ୍ଡରେ ଧଳା ପଟି, ହାତରେ କଳା ବ୍ୟାଚ୍ ପିନ୍ଧି ଆନ୍ଦୋଳନ କରୁଛନ୍ତି ଡାକ୍ତର । ଜରୁରୀକାଳୀନ ସେବାକୁ ଛାଡ଼ି ଓପିଡି, ଆଇପିଡି, ଓଟି କାର୍ଯ୍ୟରୁ ନିବୃତ୍ତ ରହିଛନ୍ତି ଡାକ୍ତର । ଯାହାକୁ ନେଇ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। କେବଳ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ରୋଗୀ ସେବାରେ ନିୟୋଜିତ ଅଛନ୍ତି ।
ସୂଚନାଯୋଗ୍ୟ, ଗତ ୯ ତାରିଖରେ ଆର.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏହାକୁ ନେଇ ସାରା ଦେଶରେ ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି । ସବୁଠି ଆନ୍ଦୋଳନ ଜୋର୍ ଧରିବା ପରେ କୋଲକାତା ଆର.ଜି. କର ମେଡିକାଲ କଲେଜର ପ୍ରିନ୍ସିପାଲ୍ ଡାକ୍ତର ସନ୍ଦୀପ ଘୋଷ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।
କୋଲକତା ପୋଲିସ ପ୍ରଥମେ ସନ୍ଦେହ କରି ତାକୁ ଅଟକ ରଖିଥିଲା । ପରେ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରାଯାଇଛି । ପଚରାଉଚରା ବେଳେ ଅଭିଯୁକ୍ତ ସବୁ ସତ ମାନିଛି । ଅଭିଯୁକ୍ତ ସଞ୍ଜୟ ରାୟ ପୋଲିସ କଲ୍ୟାଣ ବୋର୍ଡର ସହାୟକ ଭାବେ କାର୍ଯ୍ୟ କରୁଥିଲା । ଅଭିଯୁକ୍ତର ମୋବାଇଲ ଫୋନ ଜବତ କରିଛି ପୋଲିସ । ଯେଉଁଥିରୁ ଅଶ୍ଲୀଳ ଭିଡିଓ ମିଳିଥିବା ସୂଚନା ମିଳିଛି । ତଦନ୍ତ ବେଳେ ପୋଲିସ ମେଡିକାଲ କଲେଜର ସିସିଟିଭି ଫୁଟେଜ ଯାଞ୍ଚ କରିଛି ।