ଛେଳି ଚୋର ସନ୍ଦେହରେ ଯୁବକଙ୍କୁ କଙ୍ଗାରୁ କୋର୍ଟରେ ଜୋତାମାଳ ପିନ୍ଧାଇ, ଲଣ୍ଡା କଲେ ଗ୍ରାମବାସୀ

ଜଗତସିଂହପୁର: ଗାଁରେ କଙ୍ଗାରୁ କୋର୍ଟ । ଆଇନକୁ ହାତକୁ ନେଲେ ଲୋକେ । ଛେଳି ଚୋର ସନ୍ଦେହରେ ନିସ୍ତୁକ ପିଟିଲେ । ଜୋତାମାଳ ପିନ୍ଧାଇ, ଲଣ୍ଡା କରି ଗାଁ ଦାଣ୍ଡରେ ଚଲାଇଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ।ଛେଳି ଚୋର ସନ୍ଦେହରେ ଗାଁ ଦାଣ୍ଡରେ ବସିଲା କଙ୍ଗାରୁ କୋର୍ଟ । ଦୁଇ ଜଣ ଯୁବକଙ୍କୁ ଛେଳି ଚୋର ସନ୍ଦେହରେ ଅଟକାଇବା ସହ ଲଣ୍ଡା କରି ବେକରେ ଚପଲ ମାଳ ପକାଇ ଗାଁ ଦାଣ୍ଡରେ ବୁଲାଇବା ଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି । ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ବାରେଡିଆ ଗାଁ ଓ କଟକ ଜିଲ୍ଲା ଗୋବିନ୍ଦପୁର ଥାନା ରହମ୍ବ ଗ୍ରାମକୁ ସଂଯୋଗ କରୁଥିବା ପୋଲ ନିକଟରେ ।

ଅଭିଯୋଗ ମୁତାବକ, ଗତ ଡିସେମ୍ବର ୨୭ ତାରିଖ ଦିନ ଓଲଟପୁର ଥାନା ଅନ୍ତର୍ଗତ ସୁନ୍ଦର ଗ୍ରାମର ବିକ୍ରମ ଭୋଇ ଓ ଦିନେଶ ଭୋଇ ସିମାଲଦା ଗାଁକୁ ଯାଇଥିଲେ । ସେଠୁ ଫେରିବା ସମୟରେ ବାଟରେ ଛେଳି ଚୋରି କରୁଥିବା କିଛି ସ୍ଥାନୀୟ ଲୋକେ ଦେଖିଥିଲେ । ଏହା ଦେଖିବା କ୍ଷଣି ଛେଳି ଚୋର ଛେଳି ଚୋର କହି ଚିତ୍କାର କରିବାକୁ ଲାଗିଲେ ।

ଫଳରେ ରହମ୍ବ, ବାରେଡ଼ିଆ , ବାଉ ବାରାଇ ଗାଁର ଅନେକ ଲୋକ ଏକତ୍ରିତ ହୋଇ ଅଟୋ ଚାଳକ ବିକ୍ରମ ଓ ତାର ସାଙ୍ଗ ଦିନେଶକୁ ଅଟକ ରଖି ପଚରାଉଚରା କଲେ । ପରେ ଉଭୟଙ୍କର ହାତ ବାନ୍ଧି ଲଣ୍ଡା କରିଥିଲେ । ପରେ ବେକରେ ଚପଲ ମାଳ ପକାଇ ନିସ୍ତୁକ ମାଡ଼ ଦେଇଥିଲେ । କାନ ଧରି ଆଣ୍ଠେଇଥିଲେ ଦୁଇ ଯୁବକ । ପରବର୍ତ୍ତୀ ସମୟରେ ଗୋବିନ୍ଦପୁର ପୋଲିସ୍ ସହାୟତାରେ ଉଭୟ ଯୁବକଙ୍କୁ ଉଦ୍ଧାର କରାଯିବା ସହିତ ଗୋବିନ୍ଦପୁର ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା ।

ତେବେ ଯାହା ସୂଚନା ମିଳିଛି କି, ପରେ ଗତ୧ ତାରିଖ ଦିନ ପୀଡ଼ିତ ବିକ୍ରମ ଭୋଇ ବାପା ଯୁଧିଷ୍ଟିର ଭୋଇ ବିରିଡ଼ି ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ କରିଥିଲେ । ଯାହାକୁ ଭିତ୍ତି କରି ବିରିଡ଼ି ପୋଲିସ୍ ଗତକାଲି ଏହି ଘଟଣାରେ ଚାରି ଜଣଙ୍କୁ ଗିରଫ କରିବା ସହିତ ତଦନ୍ତ ଆରମ୍ଭ କରିଛି । ବାକି କିଛି ଲୋକ ଫେରାର ଅଛନ୍ତି । ତେବେ ଏଭଳି ଅମାନବୀୟ କାଣ୍ଡ ଘଟାଇଥିବା ଗ୍ରାମବାସୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜଗତସିଂହପୁର ଜିଲ୍ଲା ପୋଲିସ ଏସପି ।

କଙ୍ଗାରୁ କୋର୍ଟର ନିଷ୍ଠୁର ନିଷ୍ପତ୍ତି । କେତେବେଳେ କାହାର ଜୀବନ ନେଉଛି ତ ପୁଣି କେତେବେଳେ କାହାକୁ ଲଣ୍ଡା କରି ଲଜ୍ଜିତ କରୁଛି । ତେବେ ପୁଣି କଙ୍ଗାରୁ କୋର୍ଟର ଶିକାର ହେଲେ ଦୁଇ ଯୁବକ । ସତରେ ଯଦି ମଣିଷ ପାଖରେ ମଣିଷ ପଣିଆ ଟିକିଏ ନରୁହେ ବଞ୍ଚି ଥାଉ ଥାଉ ସେସବୁକୁ ହଜାଇ ବସେ ତାହେଲେ ଏ ସମାଜର ଅବସ୍ଥା କଣ ହେବ ତାହା ନକହିବା ଭଲ ।