ଯାଜପୁର ରୋଡ: ପଞ୍ଜାବରେ କମାଲ କଲେ ଓଡ଼ିଆ ପୁଅ । ସ୍ଵର୍ଣ୍ଣ ପଦକ ହାସଲ କରି ଓଡ଼ିଶା ପାଇଁ ଆଣିଲେ ଗର୍ବ ଓ ଗୈାରବ। ପଞ୍ଜାବରେ ଅନୁଷ୍ଠିତ ନ୍ୟାସନାଲ ରୋଇଂ ଚାମ୍ପିୟନସିପରେ ଭାଗନେଇ ଯାଜପୁର ସୁକିନ୍ଦାର ଆୟୁଷ ବଳ ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ କାଂସ୍ୟ ପଦକ ହାସଲ କରିଛନ୍ତି । ସେ ନିଜ ଗ୍ରାମରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ନିମପଲ୍ଲୀ ଗ୍ରାମର ହୃଦୟ ରଞ୍ଜନ ବଳଙ୍କ ପୁଅ ହେଉଛନ୍ତି ଆୟୁଷ ବଳ । ଆୟୁଷ ବର୍ତମାନ ସ୍ଥାନୀୟ ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ରେ ପାଠ ପଢ଼ୁଛନ୍ତି ।
ଆୟୁଷଙ୍କର ପିଲାବେଳୁ କ୍ରୀଡା ପ୍ରତି ରହିଥିବା ଆଗ୍ରହକୁ ଦେଖି କ୍ରୀଡା ପ୍ରଶିକ୍ଷଣ ପାଇଁ ତାଙ୍କୁ କଟକ ଜଗତପୁର ସ୍ଥିତ ସାଇ ହଷ୍ଟେଲରେ ପରିବାର ଲୋକେ ଭର୍ତ୍ତି କରିଥିଲେ । ତେବେ ଚଳିତ ମାସରେ ପଞ୍ଜାବରେ ଅନୁଷ୍ଠିତ ୭ମ ଜାତୀୟ ରୋଇଂ ଚାମ୍ପିୟନସିପରେ ଭାଗନେବା ସହିତ ସେ ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ କାଂସ୍ୟ ପଦକ ହାସଲ କରି ଓଡ଼ିଶା ପାଇଁ ଗୈାରବ ଆଣିଛନ୍ତି । ଏହି ପ୍ରତିଯୋଗିତାରେ ଓଡ଼ିଶା ପକ୍ଷରୁ ଆୟୁଷ ଏକମାତ୍ର ପ୍ରତିଯୋଗୀ ଭାବେ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି ।
ତେଣୁ ଆୟୁଷଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟୁଛି । ଏଥିସହିତ ପୁଅର ସଫଳତା ପାଇଁ ପରିବାର ଲୋକେ ବେଶ ଖୁସି ଅଛନ୍ତି । ଅନ୍ୟପଟେ ଗାଁରେ ପହଞ୍ଚିବା ପରେ ଓଡ଼ିଶା ତଥା ଯାଜପୁର ଜିଲ୍ଲା ପାଇଁ ଗୋୖରବ ଆଣିଥିବା ସ୍ବର୍ଣ୍ଣପଦକ ବିଜେତା ଆୟୁଷଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା । ଅଞ୍ଚଳବାସୀ ବାଜା ବାଣ ଫୁଟାଇ ଏକ ଶୋଭାଯାତ୍ରାରେ ତାଙ୍କୁ ପାଛୋଟି ନେଇଥିଲେ । ପରିବାର ପକ୍ଷରୁ ଗ୍ରାମ ମନ୍ଦିରରେ ପୂଜାର୍ଚ୍ଚନା ସହ ଭୋଜିଭାତର ଆୟୋଜନ କରାଯାଇଥିଲା । ଏଥିସହିତ ଗ୍ରାମବାସୀ ଏକ ସମ୍ବର୍ଦ୍ଧନା ସଭା କରି ଆୟୁଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ତେବେ ଆୟୁଷଙ୍କ ଏହି ସଫଳତାକୁ ନେଇ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ସାଙ୍ଗସାଥୀ, ଗ୍ରାମବାସୀ ଓ ଅଞ୍ଚଳବାସୀ ବେଶ୍ ଖୁସି ଥିବା ଦେଖିବାକୁ ମିଳିଛି । ଭବିଷ୍ୟତରେ ସେ ଆହୁରି ଆଗକୁ ଯାଇ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି । ଆୟୁଷ ଭବିଷ୍ୟତରେ ଅଲମ୍ପିକ୍ସରେ ପଦକ ଜିତିବା ନେଇ ଆଶା ରଖିଛନ୍ତି । ଆୟୁଷଙ୍କ ଏଭଳି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି । ତାଙ୍କର ଏହି ସଫଳତା ସ୍ଥାନୀୟ ଅଞ୍ଚଳର ଅନେକ ଯୁବକ ଯୁବତୀଙ୍କୁ ଅନେକ ପ୍ରେରଣା ଯୋଗାଇବ ନିଶ୍ଚୟ ।