ଆଜି ପଞ୍ଚାୟତ ନିର୍ବାଚନ ପାଇଁ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗ ଦେବେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପି

ଭୁବନେଶ୍ବର(କେନ୍ୟୁଜ୍): ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଥିବାବେଳେ ଆଜି ଜିଲ୍ଲାପାଳ ଓ ଏସପିଙ୍କ ସହ ରାଜ୍ୟ ନିର୍ବାଚନ କମିଶନର ବୈଠକ କରିବେ । ଏଥିରେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ଯୋଗ ଦେବେ । ମୁଖ୍ୟ ସଚିବ, ଉନ୍ନୟନ କମିଶନର, ଗୃହ ସଚିବ, ଡିଜିପି, ସ୍ୱାସ୍ଥ୍ୟ ସଚିବ ଓ ପଞ୍ଚାୟତିରାଜ ବିଭାଗର ସଚିବ ପ୍ରମୁଖ ଉପସ୍ଥିତ ରହିବେ। ଜିଲ୍ଲାସ୍ତରରେ ନିର୍ବାଚନ ପରିଚାଳନା ପାଇଁ ଜଏଣ୍ଟ ମାଷ୍ଟର ପ୍ଲାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ବାଚନ କମିଶନର କହିପାରନ୍ତି । ଆଦର୍ଶ ଆଚରଣ ବିଧି ସହ କୋଭିଡ଼ ଗାଇଡ଼ଲାଇନ କଡାକଡି ଲାଗୁ ଉପରେ ତୀକ୍ଷଣ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇପାରନ୍ତି ।

ବାଲାଟ ପେପର କିପରି ମତଦାନ କେନ୍ଦ୍ରରେ ସୁରକ୍ଷିତ ଭାବେ ପହଞ୍ଚିବ ଓ ଭୋଟବାକ୍ସ କଡ଼ା ସୁରକ୍ଷାରେ ଷ୍ଟ୍ରଙ୍ଗରୁମରେ ରଖାଯିବ ତାହା ଉପରେ ଆଲୋଚନାରେ ଗୁରୁତ୍ୱ ଦିଆଯିବ । ସେହିଭଳି ପ୍ରାର୍ଥୀମାନେ ସତ୍ୟପାଠରେ ଦେଇଥିବା ନିଜର ସମ୍ପତ୍ତି ତାଲିକା, ଅପରାଧିକ ପୃଷ୍ଠଭୂମି ଆଦି ତଥ୍ୟକୁ କଡ଼ାକଡ଼ି ଯାଞ୍ଚ କରାଯିବ । ଆସନ୍ତା ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହେବ । ଆସନ୍ତା ୨୫ ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଫେବ୍ରୁଆରୀ ୧୬ରୁ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ଭୋଟ୍‌ ହେବ । ଡିଜିଟାଲ ପ୍ରଚାର ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ରାଜନୈତିକ ଦଳଗୁଡ଼ିକ ପ୍ରସ୍ତୁତି ଚଳାଇଛନ୍ତି ।

Leave A Reply

Your email address will not be published.