ବ୍ଯାସନଗରରେ ଅନୁଷ୍ଠିତ ହେଲା ଆନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ, ଉଦଘାଟନ କଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ

ଯାଜପୁର ରୋଡ଼(କେନ୍ୟୁଜ୍): ଆଧ୍ୟାତ୍ମିକ ଯାଜପୁର ଜିଲ୍ଲା ବ୍ଯାସନଗର ଠାରେ ଅନୁଷ୍ଠିତ ହେଉଛି ଇଣ୍ଟରନେସନାଲ୍‌ କ୍ରାଫ୍ଟ ସମ୍ମିଟ୍‌ ବା ଆନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ । ଆଜି ପୂର୍ବାହ୍ନରେ ଭର୍ଚୁଆଲ ମୋଡ଼ରେ ଏହାକୁ ଉଦଘାଟନ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ଯ ହସ୍ତତନ୍ତ, ବସ୍ତ୍ର ଏବଂ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜିତ ହୋଇଛି ଏଭଳି ଏକ ବଡଧରଣର ସମ୍ମିଳନୀ । ଉଦଘାଟନୀ ଉତ୍ସବରେ ବିଭାଗୀୟ ମନ୍ତ୍ରୀ ରୀତା ସାହୁ, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଗ୍ରାମ୍ଯ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରିତିରଞ୍ଜନ ଘଡ଼ାଇ ଓ ବଲିଉଡ଼ ଅଭିନେତ୍ରୀ ଦିୟା ର୍ମିଜାଙ୍କ ସମେତ ବହୁ ମାଣ୍ଯଗଣ୍ଯ ବ୍ଯକ୍ତି ଉପସ୍ଥିତ ଥିଲେ ।

ଜାନୁଆରୀ ୨୦ ଓ ୨୧ ତାରିଖ ୨ଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି । ଏଥିରେ ଭାରତ ସମେତ ମୋଟ ୧୬ଟି ଦେଶର ପ୍ରତିନିଧି, ୨୦ ଜଣ ଆନ୍ତର୍ଜାତୀୟ କଳାକାର, ୫୦ରୁ ଉର୍ଦ୍ଧ୍ଵ ବକ୍ତା ଏବଂ ସ୍ଥାନୀୟ ଅଞ୍ଚଳର ଶତାଧିକ କାରିଗର ଓ ପ୍ରତିନିଧି ସାମିଲ ହୋଇଛନ୍ତି । ହସ୍ତଶିଳ୍ପରେ ଓଡ଼ିଶାକୁ ଗ୍ଲୋବାଲ ବ୍ରାଣ୍ଡ ଭାବରେ ସ୍ଥାନିତ କରିବାପାଇଁ ଏଭଳି ସମ୍ମିଳନୀର ଅୟୋଜନ କରାଯାଇଥିବା କୁହାଯାଇଛି । ଯାଜପୁର ଜିଲ୍ଲା କାରିଗରୀ, କଳା ଓ ସଂସ୍କୃତି ପାଇଁ ପ୍ରସିଦ୍ଧ ଲାଭ କରିଥିବା ବେଳେ ବିଶ୍ଵବ୍ଯାପୀ ଯାଜପୁରର ହସ୍ତଶିଳ୍ପ ଓ କଳା କାରିଗରୀକୁ ଏହି ଆନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀର ପ୍ଲାଟଫର୍ମ ପ୍ରଦାନ କରିବ । ଯାହା ଏହି ସମ୍ମିଳନୀ ଆୟୋଜନର ମୂଳ ଉଦ୍ଦେଶ୍ଯ ବୋଲି କୁହାଯାଇଛି ।

ସମ୍ମିଳନୀର ପ୍ରଥମ ସଂସ୍କରଣ ୨୦ ଏବଂ ୨୧ ଜାନୁୟାରୀରେ ଯାଜପୁରର ବ୍ଯାସନଗର ଠାରେ ଅନୁଷ୍ଠିତ ହେଉଥିବା ବେଳେ UNDP, UNESCO, UNHABITAT, UNICEF ପରି ବିଶ୍ଵସ୍ତରୀୟ ସଂଗଠନଗୁଡିକର ବିଶେଷଜ୍ଞ ଏବଂ ବିଶ୍ଵସ୍ତରୀୟ କଳାକାରମାନେ ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି । ଏଭଳି ଆୟୋଜନକୁ ନେଇ ଭାରତ ଏବଂ ବିଦେଶର କଳାକାର ଓ କାରିଗର ମାନେ ମଧ୍ୟ ଶତମୁଖରେ ପ୍ରଶଂସା କରିଛନ୍ତି । ସେପଟେ ଯାଜପୁର ତଥା ଓଡିଶାର କଳା, ସଂସ୍କୃତି ଓ ହସ୍ତଶିଳ୍ପର ସୁରକ୍ଷା ଓ ଏହାକୁ ସମୃଦ୍ଧ କରିବା କ୍ଷେତ୍ରରେ ଏହା ବାହାର ଦେଶ ଉପରେ ପ୍ରଭାବ ପକାଇବ ବୋଲି ମତପ୍ରକାଶ ପାଇଛି । ଏହା ଦ୍ଵାରା ଏସବୁର ସାମଗ୍ରିକ ବିକାଶ ପାଇଁ ଏବଂ କାରିଗରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଦେଶୀମାନେ ମଧ୍ୟ ପୁଞ୍ଜି ବିନିଯୋଗ ପାଇଁ ଆଗ୍ରହ ପ୍ରକାଶ କରିବେ ବୋଲି ଆଶାପ୍ରକଟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.