ଭୂସ୍ଖଳନ ଯୋଗୁ ସିକ୍କିମରେ ଫସି ରହିଛନ୍ତି ଓଡିଆ ପରିବାର

ସୁବର୍ଣ୍ଣପୁର(କେନ୍ୟୁଜ): ସିକ୍କିମ ବୁଲିବାକୁ ଯାଇ ସେଠାରେ ଫସି ରହିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଗୋଟିଏ ପରିବାର । ସିକ୍କିମର ରାଜଧାନୀ ଗ୍ୟାଙ୍ଗଟକରୁ ଚାଇନା ସୀମା ମଧ୍ୟରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇ ରାସ୍ତା ଓ ପୋଲ ଭାଙ୍ଗି ଯାଇଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଜଣାପଡିଛି । ଫସି ରହିଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓଡିଶାର ମୟୁରଭଞ୍ଜ ଏବଂ ସୁବର୍ଣ୍ଣପୁର ଜିଲ୍ଲାର କିଛି ପର୍ଯ୍ୟଟକ ରହିଥିବା ଜଣାପଡିଛି ।
ତେବେ ଯାହା ସୂଚନା ମିଳିଛି କି, ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଭଜବଳପୁର ଗାଁର ରାମନାରାୟଣ ମିଶ୍ର ନିଜ ପରିବାର ନେଇ ସିକ୍କିମ ବୁଲିବାକୁ ଯାଇଥିବାବେଳେ ଭୂସ୍ଖଳନ ଯୋଗୁଁ ସେଠାରେ ଫସି ରହିଛନ୍ତି । ଗତ ୯ ତାରିଖରେ ରାମନାରାୟଣ ମିଶ୍ର,ତାଙ୍କ ପତ୍ନୀ ମୀନାକ୍ଷୀ ମିଶ, ଝିଅ ଏବଂ ପୁଅ କ୍ରୀସକୁ ନେଇ ଭୁବନେଶ୍ୱରରୁ କୋଲକତା ଯାଇଥିଲେ ।
ପରେ ସେଠାରୁ ଗ୍ୟାଙ୍ଗଟକକୁ ଫ୍ଲାଇଟରେ ଯିବା ପରେ ପୁଣି ଚାଇନା ସୀମାକୁ ଲାଗିଥିବା ଲାଚୁମକୁ ପରିବାର ସହିତ ସଡକ ପଥରେ ବୁଲିବାକୁ ଯାଇଥିଲେ । ଲାଚୁମରୁ ୧୩ ତାରିଖରେ ଗ୍ୟାଙ୍ଗଟକକୁ ଫେରିବାର ଥିଲା, କିନ୍ତୁ ୧୨ ତାରିଖ ରାତିରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ହେବା ଫଳରେ ରାସ୍ତା ଅବରୋଧ ହୋଇ ରହିଛି । ଯାହାଫଳରେ ସେମାନେ ଲାଚୁମସ୍ଥିତ ଆଲପାଲନ ରିସୋର୍ଟରେ ରହିଛନ୍ତି ।
ସେମାନେ ସମୁଦ୍ର ପତନଠାରୁ ୫ ହଜାର ଫୁଟ ଉଚ୍ଚରେ ରହିଥିବାବେଳେ ଚାଇନା ସୀମାରୁ ୧୨୦ କିଲୋମିଟରରେ ଥିବା ଜଣାପଡିଛି । ତେବେ ସରକାର ରାସ୍ତା ସଫା କରିପାରୁନଥିବାରୁ ପର୍ଯ୍ୟଟକମାନେ ରାସ୍ତାରେ ଫସି ରହିଛନ୍ତି । ସେପଟେ ଦୀର୍ଘ ୫ ଦିନ ହେଲା ରାସ୍ତା ବନ୍ଦ ରହିଥିବାରୁ ଖାଦ୍ୟ ଅଭାବ ସାଙ୍ଗକୁ ଦରଦାମ ବହୁ ବଢିଯାଇଥିବା ଜଣାପଡିଛି । ଏପଟେ ଓଡିଶାର ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାକୁ ଓଡିଶା ସରକାରଙ୍କୁ ଅନୁରୋଧ କରିଛନ୍ତି ସେଠାରେ ଫସି ରହିଥିବା ଓଡିଆ ପର୍ଯ୍ୟଟକ ।
ତେବେ ସୂଚନା ଥାଉକି, ସିକ୍କିମରେ ଲଗାତାର ବର୍ଷା ଯୋଗୁଁ ପରିସ୍ଥିତି ଖରାପ ହୋଇଛି । ବର୍ଷା ଯୋଗୁଁ ଭୂସ୍ଖଳନ ହେବା ସହିତ ବିଭିନ୍ନ ଘର, ରାସ୍ତା ବୁଡି ରହିଛି । ବିଦ୍ୟୁତ ଖୁଣ୍ଟ ଭାସିଯାଇଛି । ବର୍ଷା ଯୋଗୁଁ ମୋବାଇଲ ନେଟଓ୍ଵାର୍କ ମଧ୍ୟ ପ୍ରଭାବିତ ହୋଇଛି ।