ବିପଦ ସଙ୍କୁଳ ଅବସ୍ଥାରେ ରହିଛି ଆନନ୍ଦପୁରର ବୈତରଣୀ ସେତୁ, ହଇରାଣ ହେଉଛନ୍ତି ଜନ ସାଧାରଣ
କେତେବେଳେ ଯେ ବ୍ରିଜ୍ ଟି ଭୁଶୁଡ଼ି ପଡ଼ିବ ଭରସା ନାହିଁ । ଅନ୍ୟ କୌଣସି ଉପାୟ ନଥିବାରୁ ଜୀବନକୁ ବିପଦରେ ପକାଇ ଲୋକମାନେ ବାଧ୍ୟ ହୋଇ ଏହି ବ୍ରିଜରେ ଯାଉଛନ୍ତି ।

ଆନନ୍ଦପୁର (କେନ୍ୟୁଜ): ବିପଦରେ ଲୋକଙ୍କ ଜୀବନ । ବିପଦ ସଙ୍କୁଳ ଅବସ୍ଥାରେ ରହିଛି ଆନନ୍ଦପୁରର ବୈତରଣୀ ସେତୁ । ବସକୁ ଏ ସେତୁରେ ଯିବାକୁ ଅନୁମତି ନାହିଁ, ତେଣୁ ଯାତ୍ରୀମାନେ ଅଧା ରାସ୍ତାରୁ ଓହ୍ଲାଇ ବ୍ୟାଗ ଧରି ଚାଲି ଚାଲି ଯାଉଛନ୍ତି । କେତେବେଳେ ଯେ ବ୍ରିଜ୍ ଟି ଭୁଶୁଡ଼ି ପଡ଼ିବ ଭରସା ନାହିଁ । ଅନ୍ୟ କୌଣସି ଉପାୟ ନଥିବାରୁ ଜୀବନକୁ ବିପଦରେ ପକାଇ ଲୋକମାନେ ବାଧ୍ୟ ହୋଇ ଏହି ବ୍ରିଜରେ ଯାଉଛନ୍ତି ।
ଯାତାୟାତ ନିମନ୍ତେ କେବଳ ବାଇକ ଓ ଚାରିଚକିଆ ଯାନ ଧୀରେ ଧୀରେ ଛଡା ଯାଉଥିବା ବେଳେ ଯାତ୍ରୀବାହୀ ବସ ଓ ଭାରୀଯାନ କୁ ବନ୍ଦ ରଖା ଯାଇଛି । ଏହି ସେତୁଟି କେନ୍ଦୁଝର ଓ ଯାଜପୁରକୁ ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ ସହିତ ଯୋଡି ହୋଇ ରହିଛି । ପ୍ରତ୍ୟେକ ବର୍ଷ ଏହି ସେତୁର ସ୍ପାନ ଦବି ଯାଉଥିବା ବେଳେ ପୂର୍ତ୍ତ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ଏହାର ମରାମତି କରାଯାଇଥାଏ । ବର୍ତ୍ତମାନ ସେତୁର ଗୋଟିଏ ସ୍ପାନ ର ବେରିଙ୍ଗ ସମ୍ପୂର୍ଣ ଖସି ଯାଇଥିବା ବେଳେ ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଏହାର ଯାଞ୍ଚ କରିବା ସହିତ ସେତୁର ଉଭୟ ପାର୍ଶ୍ୱକୁ ବନ୍ଦ କରି ରଖିଛନ୍ତି । ତେବେ ଏହି ସେତୁ ପାର୍ଶ୍ୱରେ ନୂଆ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ଏହାକୁ ତୁରନ୍ତ ସମ୍ପୂର୍ଣ କରିବାକୁ ଦାବି ହେଉଛି । ଅନ୍ୟପଟେ ବୈତରଣୀ ବ୍ୟାରେଜ ରାସ୍ତାଟି ମଧ୍ୟ ମରାମତି ନିମନ୍ତେ ବନ୍ଦ ରଖା ଯାଇଥିବାରୁ ଜନ ସାଧାରଣଙ୍କ ଯାତାୟାତରେ ବାଧା ସୃଷ୍ଟି ହୋଇଛି ।
ବ୍ରିଜର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ ନୂଆ କରି ନିର୍ମାଣ ହେଉଥିବା ବ୍ରିଜର ତୁରନ୍ତ କାର୍ଯ୍ୟ ଶେଷ କରିବାକୁ ଦାବି ହେଉଛି । ଲୋକମାନେ ଏହି ସେତୁ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଥିବା ବେଳେ ଏହା ବର୍ତ୍ତମାନ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ତେବେ ଦେଖାଯାଉ ନୂଆ ବ୍ରିଜର କାମ କେବେ ଶେଷ ହେଉଛି ।