ଅଣସରରେ ମହାବାହୁ, ଆଜି ଚତୁର୍ଥ ଦିନରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଫିଟା ନୀତି
ବ୍ରହ୍ମଗିରି : ସ୍ନାନପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନପରେ ଜ୍ୱରରେ ପୀଡିତ ମହାପ୍ରଭୁ । ଘନ ଅନ୍ଧକାରରେ ଚାଲୁଛି ଗୁପ୍ତ ଚିକିତ୍ସା । ଦଇତାପତି ସେବକ ମାନେ ମହାପ୍ରଭୁଙ୍କ ଏହି ଗୁପ୍ତନୀତିକୁ ନିଷ୍ଠାର ସହ ସମ୍ପାଦିତ କରୁଛନ୍ତି । ଗତକାଲି ଅଣସରର ତୃତୀୟ ଦିନରେ ମହାପ୍ରଭୁଙ୍କ ଓଦାବସ୍ତ୍ର ଓଲାଗି ହୋଇଥିବା ବେଳେ ଆଜି ଚତୁର୍ଥ ଦିନରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଫିଟା ନୀତି ଦଇତାପତି ସେବକ ମାନେ ସମ୍ପାଦିତ କରିବେ । ରାଜବୈଦଙ୍କ ପରାମର୍ଶ କ୍ରମେ ଶ୍ରୀବିଗ୍ରହମାନଙ୍କୁ ସୁସ୍ଥ କରିବା ପାଇଁ ପଥି ଦିଆଯାଉଛି। ସେପଟେ ପଞ୍ଚମୀରେ ଫୁଲିରି ତେଲ ଲାଗି ପରେ ଧୀରେଧୀରେ ଜ୍ୱରରୁ ଉପଶମ ହେବେ ମହାପ୍ରଭୁ ।
ଅନ୍ୟପଟେ ଜ୍ୱର ହେଲେ ଜଣେ ମାନବ ଯେପରି ଫଳମୂଳ, କ୍ଷୀର,ସର ସେବନ କରିଥାଏ ଠିକ୍ ସେହିଭଳି ମହାପ୍ରଭୁଙ୍କୁ ଚକଟା ଓ ପଣା ଭୋଗ ଲାଗି କରାଯା ଏ। ଏହି ସମୟରେ ଚତୁର୍ଦ୍ଧାଵିଗ୍ରହ ଶ୍ୱେତ ବସ୍ତ୍ର ପରିଧାନ କରିବା ସହ କେବଳ ଧଳା ଫୁଲ ମହାପ୍ରଭୁଙ୍କ ଠାରେ ଲାଗି କରାଯିବ । ମହାପ୍ରଭୁଙ୍କ ନିକଟରେ ଲାଗି ହେଉଛି ସ୍ୱତନ୍ତ୍ର ଅଣସର ପଣା l ଅନ୍ୟପଟେ ମହାପ୍ରଭୁଙ୍କ ସ୍ଥାନରେ ପୂଜା ପାଉଛନ୍ତି ପଟିଦିଅଁ ।