ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ। ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ମହାପ୍ରଭୁ ଜ୍ବରରେ ପୀଡିତ ହୋଇଛନ୍ତି। ଏହାପରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଅଣସର ନୀତି । ଅଣସରରେ ୧୫ ଦିନ ଧରି ବିଗ୍ରହମାନଙ୍କ ଗୁପ୍ତସେବା ନୀତି ଅନୁଷ୍ଠିତ ହେବ । ଜ୍ଵରରେ ଆକ୍ରାନ୍ତ ଦାରୁଦିଅଁଙ୍କ ପାରମ୍ପରିକ ଉପଚାର ଆରମ୍ଭ କରିଛନ୍ତି ଦଇତାପତି ସେବକ । ଅଣସରରେ ମହାପ୍ରଭୁ ଥିବାରୁ ମହାପ୍ରଭୁଙ୍କ ସ୍ଥାନରେ ପୂଜା ପାଇଛନ୍ତି ପଟି ଦିଅଁ ।
ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ରେ ଘଣ୍ଟ ଘଣ୍ଟା ବାଜିବା ବନ୍ଦ ହେବା ସହ ଓ ମହାପ୍ରଭୁଙ୍କୁ ରଙ୍ଗୀନ ଫୁଲ ଲାଗି ହେବ ନାହିଁ । ଶ୍ରୀ ଅଙ୍ଗ ସେବକ ଦଇତାପତିମାନେ ପ୍ରତ୍ୟେକ ଦିନ ମହାପ୍ରଭୁ ଙ୍କ ସେବା କରିବେ । ଅନବସର ତାଟି ନିକଟରେ ମହାପ୍ରଭୁ ଙ୍କ ସ୍ଥାନରେ ପଟିଦିଅଁ ପୂଜା ପାଇବେ । ଜଗନ୍ନାଥଙ୍କ ଦର୍ଶନ ସମ୍ଭବ ହେଉନଥିବାରୁ ପରମ୍ପରା ଅନୁଯାୟୀ ବ୍ରହ୍ମଗିରିର ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।
ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅଣସର ସମୟରେ ଶ୍ରୀମନ୍ଦିର ଭିତରେ କୌଣସି ଘଣ୍ଟ ଅବା ଗୀତ ବୋଲାଯାଏ ନାହିଁ। ମନ୍ଦିରକୁ ଶୂନଶାନ ରଖାଯାଏ । ତେବେ ଅଣସର ୧୫ ଦିନ ପର୍ଯ୍ୟାୟ କ୍ରମେ ବିଭିନ୍ନ ଗୁପ୍ତ ନୀତି ହୋଇଥାଏ । ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ବିଜେ ପରେ ଓଦା ଲୁଗା ଉଲାଗି ସହ ପରମ୍ପରା ଅନୁଯାୟୀ ବିଶେଷ ଦିନ ଗୁଡ଼ିକରେ ଫୁଲୁରିତେଲ ଲାଗି, ଔଷଧ ଲାଗି, ଚକା ବିଜେ, ଚନ୍ଦନ ଲାଗି ଓ ଘଣା ଲାଗି ନୀତି ହୋଇଥାଏ । ମହାପ୍ରଭୁଙ୍କ ସ୍ଥାନରେ ପୂଜା ପାଉଥିବା ପଟି ଦିଅଁଙ୍କ ସହ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ମଦନ ମୋହନ, ଲକ୍ଷ୍ମୀ, ସରସ୍ଵତୀ, ରାମକୃଷ୍ଣ ନୃସିଂହ ଭଗବାନଙ୍କୁ ପୂଜା କରାଯାଏ ।