ବିପଦରେ ପ୍ରାଚୀନ ଅନନ୍ତଶୟନ ପ୍ରସ୍ତର ମୂର୍ତ୍ତି, ବ୍ରାହ୍ମଣୀର ପ୍ରଖର ସୁଅରେ ବିଲୀନ ହୋଇଯିବା ନେଇ ଆଶଙ୍କା

ଢେଙ୍କାନାଳ: ଓଡ଼ିଶାରେ ରହିଛି ଅନେକ କିର୍ତ୍ତୀରାଜି । କଳା ସଂସ୍କୃତିରେ ଭରା ଏହି ରାଜ୍ୟକୁ ପ୍ରତିଦିନ ଛୁଟି ଆସନ୍ତି ହଜାର ହଜାର ପର୍ଯ୍ୟଟକ । କିନ୍ତୁ ଏମିତି ଅନେକ ପର୍ଯ୍ୟଟନ କ୍ଷେତ୍ର ଅଛି ଯାହା ନଷ୍ଟ ହେବାକୁ ବସିଲାଣି । ଏଇ ଯେମିତି ବହୁ ପୁରାତନ ଭଗବାନ ବିଷ୍ଣୁଙ୍କର ପ୍ରସ୍ତର ନିର୍ମିତ ଅନନ୍ତ ଶୟନ ମୂର୍ତ୍ତି । ପତ୍ନତତ୍ତ୍ୱ ବିଭାଗ ଏ ପର୍ଯ୍ୟଟନ କ୍ଷେତ୍ରକୁ ଗୁରୁତ୍ତ୍ୱ ଦେଉନଥିବାରୁ ଏହା ନଷ୍ଟ ହେବାକୁ ବସିଲାଣି ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ସରାଙ୍ଗ ଗାଁରେ ଥିବା ବ୍ରାହ୍ମଣୀ ନଦୀ କୂଳ । ଏଠାରେ ନବମ ଶତାବ୍ଦୀରେ ନିର୍ମିତ ବହୁ ପୁରାତନ ୫୧ ଫୁଟ ଲମ୍ବ ବିଶିଷ୍ଟ ଭଗବାନ ବିଷ୍ଣୁଙ୍କର ପ୍ରସ୍ତର ନିର୍ମିତ ଅନନ୍ତଶୟନ ମୂର୍ତ୍ତି ଅବସ୍ଥିତ । ଐତିହାସିକ କୀର୍ତ୍ତିରାଜିର ମାନ୍ୟତା ବହନ କରୁଥିବା ଏହି ପ୍ରାଚୀନ ମୂର୍ତ୍ତିଟି ଏବେ ଜରାଜୀର୍ଣ୍ଣ ଓ ବିପଦସଂକୁଳ ଅବସ୍ଥାରେ ରହିଛି । ଆଉ ଏଥିପାଇଁ ସବୁଠାରୁ ବଡ଼ ବିପଦ ସାଜିଛି ବ୍ରାହ୍ମଣୀ ନଦୀ । ପ୍ରତ୍ୟେକ ବର୍ଷ ବ୍ରାହ୍ମଣୀ ନଦୀ କୂଳ ଖାଉଥିବାବେଳେ କୌଣସି ମୁହୂର୍ତ୍ତରେ ନଦୀ ଗର୍ଭରେ ଲୀନ ହୋଇପାରେ ଏହି ଐତିହାସିକ କୀର୍ତ୍ତିରାଜି । ପ୍ରତ୍ନତତ୍ତ୍ୱ ବିଭାଗର ଅପାରଗତା ଓ ରକ୍ଷଣାବେକ୍ଷଣରେ ଅହେତୁକ ତ୍ରୁଟି ଯୋଗୁଁ ବିପଦ ମୁହଁରେ ନବମ ଶତାବ୍ଦୀର ଏହି ପ୍ରସ୍ତର ନିର୍ମିତ ଅନନ୍ତଶୟନ ମୂର୍ତ୍ତି । ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଥିବା ଏହି ବିରଳ ପ୍ରସ୍ତର ମୂର୍ତ୍ତିର ସୁରକ୍ଷା ପାଇଁ ବିଭାଗ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ମୂର୍ତ୍ତିକୁ ସୁରକ୍ଷା ଦେବା ପାଇଁ ନଦୀ କୂଳରେ ପାଚେରୀ ନିର୍ମାଣ କରାଯାଇଥିଲେ ମଧ୍ୟ ନଦୀ ସ୍ରୋତରେ ପରିବର୍ତ୍ତନ ଯୋଗୁଁ ତାହା ଏବେ ଦୟନୀୟ ଅବସ୍ଥାରେ ରହିଛି । ଚାରିପାଖରେ ଥିବା ଲୁହା ସୁରକ୍ଷା ବାଡ଼ ଭାଙ୍ଗିରୁଜି ଯାଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆଢୁଆଳରେ ରହିଛି ସୁରକ୍ଷା ବ୍ୟବସ୍ଥା ।

ତତକାଳୀନ ବିଜେଡି ସରକାର ସମୟରେ ଏହି ଅନନ୍ତଶୟନ ପୀଠର ସୁରକ୍ଷା, ପ୍ରସ୍ତର ମୂର୍ତ୍ତିର ରକ୍ଷଣାବେକ୍ଷଣ, ପୀଠର ସୌନ୍ଦର୍ଯ୍ୟକରଣ, ନଦୀ ସ୍ରୋତରୁ ମୂର୍ତ୍ତିର ସୁରକ୍ଷା ପାଇଁ ତିନି କୋଟି ଏକାବନ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବେଳେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ପ୍ରତ୍ନତତ୍ତ୍ୱ ବିଭାଗର ଅବହେଳା ଯୋଗୁଁ ବ୍ରାହ୍ମଣୀ ନଦୀରେ ଲୀନ ହୋଇପାରେ ଏହି ଐତିହାସିକ କୀର୍ତ୍ତିରାଜି l ତୁରନ୍ତ ବ୍ରାହ୍ମଣୀ ନଦୀ ସ୍ରୋତରୁ ଅନନ୍ତଶୟନ ମୂର୍ତ୍ତିକୁ ସୁରକ୍ଷା ଦେବା ସହ ପୀଠର ଉନ୍ନତିକରଣ ଉପରେ ପ୍ରତ୍ନତତ୍ତ୍ୱ ବିଭାଗ ଦୃଷ୍ଟି ଦେବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ତଥା ପର୍ଯ୍ୟଟକ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.