ଦିଦିଙ୍କ ବାଟ ଘରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର, ସବୁ ଜାଣି ପ୍ରଶାସନ ଚୁପ୍

ଗୋପ: ରାଜ୍ୟ ଠାରୁ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ଏଠି ଜଳ ଜଳ ହୋଇ ଦିଶୁଛି । ଖାସ୍ କରି ଶିକ୍ଷା କ୍ଷେତ୍ରରେ । କୁନିକୁନି ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ସରକାରଙ୍କ ପକ୍ଷରୁ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କରାଯାଇଥିବା ବେଳେ ପିଲାଙ୍କ ପାଇଁ ଭଲ ଖାଦ୍ୟ, ପୋଷାକ, ରୋଷେଇ ପାଇଁ ଗ୍ୟାସ୍ ଯୋଗାଇ ଦେଇଛନ୍ତି ସରକାର।
ଖାଲି ସେତିକି ନୁହେଁ ଛତୁଆ,ଅଣ୍ଡା ଓ ରନ୍ଧା ଖାଦ୍ୟ ଆଦି ଯୋଗାଇ ଦିଆଯାଉଛି । ହେଲେ ଏଠି କିନ୍ତୁ କିଛି ଅଲଗା ଦେଖିବାକୁ ମିଳିଛି । ସବୁ ମିଳୁଛି ସତ ହେଲେ ପଢିବାକୁ ଥିବା ଅଙ୍ଗନୱାଡି କେନ୍ଦ୍ର ଚାଲିଛି ଅଙ୍ଗନବାଡି ଦିଦିଙ୍କ ବାଟଘରେ । ଦୁଇ ଦୁଇ ଥର ଟଙ୍କା ଆସିଛି । ହେଲେ କାମ ହୋଇପାରି ନାହିଁ । ଯାହା ଫଳରେ କୁନିକୁନି ଛାତ୍ରଛାତ୍ରୀ ଏବେ ଦିଦିଙ୍କ ବାଟ ଘରେ ନିଜର ଭବିଷ୍ୟତ ଗଢୁଛନ୍ତି । ଯେଉଁଠି ରୋଷେଇ ସେଇଠି ପାଠପଢା । ପାଖରେ ଗ୍ୟାସ୍ ଟାଙ୍କି ଥୁଆ ହୋଇଥିବା ସହିତ ରୋଷେଇ ହେବା ବି ଦେଖାଯାଇଛି । ଏପରି ଏକ ଅଭିଯୋଗ ଆସିଛି ପୁରୀ ଜିଲ୍ଲା ଗୋପ ବ୍ଳକ୍ ଜଙ୍ଗଲବୋରି ପଞ୍ଚାୟତ ବରଗୋରଡା ଗାଁରୁ । ଗ୍ରାମବାସୀମାନେ ବାରମ୍ବାର ଗୋପ CDPOକୁ ଅଭିଯୋଗ କଲେବି କୌଣସି ସୁଫଳ ମିଳୁନଥିବା କହିଛନ୍ତି ।
ତେବେ ଏ କେଉଁ ଉପାନ୍ତ ଅଞ୍ଚଳ ନୁହେଁ । ଏ ହେଉଛି ଆମ ଉପମୁଖ୍ୟମନ୍ତ୍ରୀ ଓ ଶିଶୁ, ମହିଳା କଲ୍ୟାଣ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନିର୍ବାଚନ ମଣ୍ଡଳୀର ଦୃଶ୍ୟ । ଏଠି କୁନିକୁନି ଛାତ୍ରଛାତ୍ରୀ କେତେ ସୁରକ୍ଷିତ ତାହା ଆଖିରେ ଦେଖିଲେ ବିଶ୍ୱାସ କରିବେ । ଖାଲି ଏହି ଅଙ୍ଗନବାଡି କେନ୍ଦ୍ର ନୁହେଁ ଏହିପରି ଅନେକ କେନ୍ଦ୍ରର ଅବସ୍ଥା ଏହିପରି ରହିଛି । କେଉଁଠି ବାରଣ୍ଡାରେ ପାଠ ପଢୁଛନ୍ତି କେଉଁଠି ଭଙ୍ଗାଘରେ ପଠପଢା ଚାଲିଛି।
ଆଜକୁ ୧୪ ବର୍ଷ ହେବ ଅଙ୍ଗନୱାଡି କେନ୍ଦ୍ର ଚାଲିଛି ଏହି ଗୃହରେ । ଛୋଟ ଛୋଟ ପିଲାମାନଙ୍କ ଅସୁବିଧାକୁ ନେଇ ଅଙ୍ଗନୱାଡି ଦିଦି ବାରମ୍ବାର ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ କଲେବି କୌଣସି ସୁଫଳ ମିଳୁନଥିବା କହିଛନ୍ତି । ସେପଟେ ଆମେ ଗୋପ CDPOଙ୍କୁ ପଚାରିବାରୁ ସେ କହିଛନ୍ତି, ମୁଁ ବିଡିଓଙ୍କ ସହ କଥା ହୋଇ ଖୁବଶୀଘ୍ର ଅଙ୍ଗନୱାଡି କେନ୍ଦ୍ର ପାଇଁ ଜାଗା ଠିକ୍ କରି ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଚେଷ୍ଟା କରିବି ।
ଯଦି ଆମ ମାଧ୍ୟମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହା ଉପରେ ନଜର ପକାଇ ତୁରନ୍ତ ଅଙ୍ଗନବାଡି କେନ୍ଦ୍ର ଯୋଗାଇଦେବେ ତାହାଲେ କୁନିକୁନି ଛାତ୍ରଛାତ୍ରୀ ବହୁତ ଖୁସି ହେବେ ବୋଲି କୁହିଛନ୍ତି ଗ୍ରାମବାସୀ ।