ଅଙ୍ଗନୱାଡି କେନ୍ଦ୍ରରେ ହେଉଛି ବ୍ୟାପକ ଦୁର୍ନୀତି । ପିଲାଙ୍କ ଅଣ୍ଡା ଛତୁଆରେ ହେଉଛି ବଡ ହେରଫେର । କୁନି କୁନି ପିଲାଙ୍କ ପାଇଁ ସରକାର କେତେ କଣ ଯୋଜନା କରୁଛନ୍ତି । ପିଲାଙ୍କୁ ଅଙ୍ଗନୱାଡି କେନ୍ଦ୍ରରେ ଖାଦ୍ୟ ଦିଆ ଯିବା ପାଇଁ ନିୟମ ରହିଛି । କିନ୍ତୁ ଏହି ଖାଦ୍ୟ ପିଲା ପାଉଛନ୍ତି କି ଅଙ୍ଗନୱାଡି ଦିଦି ନେଉଛନ୍ତି ତାହା ସରକାରଙ୍କୁ ଜଣା ନାହିଁ । ତେବେ ପୁରୀ ଜିଲ୍ଲା କାକଟପୁର ବ୍ଲକ କୁଣ୍ଢେଇ ପଂଚାୟତର ଛୋଟରାୟପୁର ଅଙ୍ଗନୱାଡି କେନ୍ଦ୍ରରେ ବ୍ୟାପକ ଦୁର୍ନୀତି ହେଉଥିବା ସାମ୍ନାକୁ ଆସିଛି । କିଶୋରୀ ବାଳିକାଙ୍କ ଖାଦ୍ୟ ଅଣ୍ଡା ଛତୁଆ ଲଡୁ ସହ ମୁଢ଼ୀକୁ ହିତାଧିକାରୀଙ୍କୁ ଠିକ ଭାବେ ନବାଣ୍ଟି ସେଥିରେ ହେରଫେର କରୁଛନ୍ତି ଅଙ୍ଗନୱାଡି ଦିଦି । ଏନେଇ ଗାଁ ଲୋକେ କାକଟପୁର ବ୍ଲକ ବିଡିଓ ସିଡିପିଓଙ୍କ ପାଖରେ ଅଭିଯୋଗ କରିବା ପରେ ସିଡିପିଓ ଅଙ୍ଗନୱାଡି କେନ୍ଦ୍ରକୁ ଯାଇ ସମସ୍ତ ଖାତା କାଗଜ ପତ୍ର ଜବତ କରି ତଦନ୍ତ ଚଳାଇଛନ୍ତି ।
କାକଟପୁର ବ୍ଲକ ଛୋଟରାୟପୁର ଅଙ୍ଗନୱାଡି କେନ୍ଦ୍ରର ଦିଦି ବିଦୁଲତା ମହାରଣାଙ୍କ ନାମରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । କେନ୍ଦ୍ରରେ ଯେତିକି କୁନିକୁନି ପିଲା ଅଛନ୍ତି ତା ଠାରୁ ଅଧିକ ପିଲାଙ୍କ ନାମକୁ ଖାତାରେ ଚଢାଇ ସେମାନଙ୍କ ପାଇଁ ଆସୁଥିବା ଖାଦ୍ଯକୁ ହଡପ କରିଥିବା ନେଇ ଅଭିଯୋଗ ଆସିଛି । ବିଶେଷ କରି କିଶୋରୀ ବାଳିକାଙ୍କ ପାଇଁ ଆସୁଥିବା ଅଣ୍ଡା, ଛତୁଆ, ପୃଷ୍ଟିଯୁକ୍ତ ଲଡୁ, ମୁଢ଼ୀକୁ ହିତାଧିକାରୀଙ୍କୁ ନଦେଇ ସବୁ ହଡଫ କରୁଛନ୍ତି ଅଙ୍ଗନୱାଡି କେନ୍ଦ୍ରର ଦିଦି । ଛୋଟରାୟପୁର ଗାଁର ଅମରେଶ୍ଵର ନାୟକ ବ୍ଲକ ବିଡିଓଙ୍କ ସହ କାକଟପୁର ବ୍ଲକ ସିଡିପିଓଙ୍କ ପାଖରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁଯାଇ ଏହି କେନ୍ଦ୍ରରେ ମାତ୍ର ତିନିଜଣ କୁନିପିଲା ନିୟମିତ ଆସୁଛନ୍ତି I କିନ୍ତୁ ଆଠ ଜଣ ପିଲା ଆସୁଛନ୍ତି ବୋଲି ଦେଖାଇ ସେମାନଙ୍କ ଖାଦ୍ଯକୁ ବର୍ଷ ବର୍ଷ ଧରି ହଡପ କରିଚାଲିଛନ୍ତି । ଏହି ଅଙ୍ଗନୱାଡି କେନ୍ଦ୍ରରେ ଭଲ ଘର ରହିଛି, ରୋଷେଇଶାଳ ରହିଛି, ପାଚିକା ସହାୟିକା ବି ଅଛନ୍ତି କିନ୍ତୁ ୨୦୨୩ ମସିହା ଠାରୁ ଏହି କେନ୍ଦ୍ରରେ କେବେ ରୋଷେଇ ହୁଏନି । ଏବେ ଏହି ରୋଷେଇଶାଳରେ ଅଳିଆ ଆବର୍ଜନା ପଡିଛି ଅଙ୍ଗନୱାଡି ଦିଦି ନିଜଘରେ ରୋଷେଇ କରି ଆଣି ପିଲାଙ୍କୁ ବେଳେବେଳେ ଖାଇବାକୁ ଦିଅନ୍ତି ଯାହାକୁ ଦିଦି ନିଜେ ସ୍ଵୀକାର କରିଛନ୍ତି । ବିଶେଷକରି ଦିଦି ଜଣକ ଏହି କେନ୍ଦ୍ର ଅଧୀନରେ ଥିବା ଯାଞ୍ଚ କମିଟି ମାତୃ କମିଟି ଆଉ ସେହି ୱାର୍ଡର ୱାର୍ଡ ମେମ୍ବରଙ୍କ ଠାରୁ ଆଗୁଆ ଦସ୍ତଖତ ନେଇ ପରେ ଖାଦ୍ଯ ବାଟନ୍ତି । ଯାହା ଫଳରେ ଦିଦି ମନଇଛା କାହାକୁ ଖାଦ୍ଯ ନଦେଲେ କେହି କହିବାକୁ ନାହାନ୍ତି । କିନ୍ତୁ ଅଭିଯୋଗ ଆସିବାପରେ କାକଟପୁର ବ୍ଲକ ସିଡିପିଓ ସେହି କେନ୍ଦ୍ରକୁ ଯାଇ ସମସ୍ତ କାଗଜ ପତ୍ର ଜବତ କରି ତଦନ୍ତ ଚଳାଇଛନ୍ତି । ଅନ୍ୟପଟେ ଅଙ୍ଗନୱାଡି ଦିଦି ବିଦୁଲତା ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ତେବେ ଏ ଘଟଣାର ତଦନ୍ତ କରାଗଲେ ହିଁ ପ୍ରକୃତ କାରଣ ଜଣା ପଡିବ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କାକଟପୁର ବ୍ଲକର ସିଡିପିଓ କହିଛନ୍ତି ।