ନିରବୀ ଗଲେ ଅଙ୍ଗନବାଡି ଦିଦି, ଝୁରୁଛି ପରିବାର ଝୁରୁଛି ଅଞ୍ଚଳ

ହଜାର ହଜାର ଲୋକଙ୍କ ପ୍ରତିବାଦର ସ୍ୱର ବିକ୍ଷୋଭ ମଧ୍ୟରେ ନିରବୀ ଗଲେ ଅଙ୍ଗନବାଡି ଦିଦି । ସମସ୍ତଙ୍କ ମୁହଁ ରେ ଗୋଟିଏ କଥା ସ୍ନେହଲତା ଦିଦି ଫେରିଆସ । କିନ୍ତୁ ସମସ୍ତଙ୍କ ପ୍ରତିବାଦର ସ୍ୱର ଉତ୍ତୋଳନ ମଧ୍ୟରେ ଆର ପାରିରେ ଅଙ୍ଗନବାଡି ଦିଦି । ସେ ବି କଣ ଜାଣିଥିଲେ କି ଏମିତି ଦୁର୍ଘଟଣା ଘଟିବ ଆଉ କାଳ ଜଗି ରହି ତାଙ୍କ ହାତ ଟାଣି ଆର ପାରିକୁ ନେଇଯିବ । କିନ୍ତୁ ବିଧିର ବିଧାନ ବଡ଼ ବିଚିତ୍ର । ଉପାନ୍ତ ଆଦିବାସୀ ଅଧ୍ୟୁଷିତ କୁଟିଆକନ୍ଧ ଅଞ୍ଚଳରେ ଶିଶୁ ଓ ମାତୃତ୍ୱ ସେବା ଯୋଗେଇଦେବା ପାଇଁ ଅଣ୍ଟା ଭିଡ଼ିଥିବା ଅଙ୍ଗନବାଡି ଦିଦି ଏବେ ଆଉ ନାହାନ୍ତି । ଅଙ୍ଗନବାଡି ଦିଦି ହୋଇ ସେବା କରିବା ପାଇଁ କେତେ ଆଶା, ସ୍ବପ୍ନ ଓ ଲକ୍ଷ୍ୟ ଥିଲା କିନ୍ତୁ ସବୁ ଏବେ ରହିଗଲା ଅଧୁରା ।

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର ଉଷାବାଲି ଅଙ୍ଗନବାଡି କେନ୍ଦ୍ରର ଦିଦି ସ୍ନେହଲତା ମଝିଆସେଟ । ଅଙ୍ଗନବାଡି ଦିଦି ସ୍ନେହଲତାଙ୍କ କଥା ଆଉ ଶୁଣିବାକୁ ମିଳିବନି କି ତାଙ୍କୁ ଆଉ ଦେଖିବାକୁ ପାଇବେନି କେହି । ଉପାନ୍ତ ଅଞ୍ଚଳର କୁନି କୁନି ପିଲା ଦିଦି ଦିଦି ଡାକ ଛାଡ଼ୁଥିଲେ । କିନ୍ତୁ ଏବେ ଆର ପାରିରେ ଅଙ୍ଗନବାଡି ଦିଦି ସ୍ନେହଲତା । ଅଙ୍ଗନବାଡି ଦିଦି ସ୍ନେହଲତାଙ୍କ ଆଶା ଅଙ୍କାକ୍ଷା ଅଭିଳାଷ ସବୁକିଛି ଗୋଟିଏ ଦୁର୍ଘଟଣା ସବୁକିଛି ଓଲଟ ପାଲଟ କରିଦେଲା ।

ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଉଷାବାଲି ଗାଁର ଅଙ୍ଗନବାଡି ଦିଦି ସ୍ନେହଲତା ମଝିଆସେଟ ସବୁଦିନ ପରି କେନ୍ଦ୍ରରେ ଡ୍ୟୁଟି ପାଇଁ ଯାଇଥିଲେ । କିନ୍ତୁ ତୁମୁଡିବନ୍ଧ ଆଇସିଡିଏସ କାର୍ଯ୍ୟାଳୟକୁ ସରକାରୀ କାର୍ଯ୍ୟରେ ଯିବା ପାଇଁ ଉଷାବାଲି ଛକରେ ବସକୁ ଅପେକ୍ଷା କରିଥିଲେ । ଏହି ସମୟରେ ତାଙ୍କୁ ଏକ ସରକାରୀ ବସ ଧକ୍କା ଦେଇଥିଲା । ଆଉ ଘଟଣାସ୍ଥଳରେ ହିଁ ଅଙ୍ଗନବାଡି ଦିଦି ସ୍ନେହଲତାଙ୍କ ମୃତ୍ୟୁ ହୋଇଥିଲା ।

କିଏ ବା ଜାଣିଥିଲା ଯେଉଁ ବସକୁ ଅପେକ୍ଷା କରିଥିଲେ ସେହି ବସ ହିଁ ଧକ୍କା ଦେଇ ତାଙ୍କ ଜୀବନ ନେଇଯିବ । ତେବେ ବେଲଘରରୁ ଫୁଲବାଣୀ ଯାଉଥିବା ସରକାରୀ ବସଟି ଉଷାବାଲି ଛକ ନିକଟରେ ସ୍ନେହଲତା ଦିଦିଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା । କିନ୍ତୁ ସ୍ଥାନୀୟ ଲୋକେ ବସଟିକୁ ଅଟକାଇଥିଲେ । ପରେ ବସ ଡ୍ରାଇଭର ଓ କଣ୍ଡକ୍ଟର ଫେରାର ହୋଇ ଯାଇଥିଲେ ।

ଅଙ୍ଗନବାଡି ଦିଦି ସ୍ନେହଲତାଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳବାସୀ ତୁମୁଡିବନ୍ଧ ଆମ୍ବେଦକର ଛକରେ ରାସ୍ତା ଅବରୋଧ କରିଥିଲେ । ରାଜ ରାସ୍ତାରେ ମୃତ ଶରୀର ରଖି ପ୍ରତିବାଦ ମଧ୍ୟ କରିଥିଲେ ପରିବାର ଲୋକେ । ତୁମୁଡିବନ୍ଧ ଓ ବେଲଘର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ବି ମୃତ ଶରୀର ରାଜରାସ୍ତାରେ ରଖି ବସି ରହିଥିଲେ ମୃତ ଦିଦିଙ୍କ ପରିବାର ଓ ସ୍ଥାନୀୟ ବାସିନ୍ଦା । ଏପରି କି କାର୍ଯ୍ୟରତ ସମସ୍ତ ଅଙ୍ଗନବାଡି ଦିଦି ମଧ୍ୟ ରାଜରାସ୍ତାରେ ବସି ଆନ୍ଦୋଳନ କରିଥିଲେ l

କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ ପରେ ବି ପ୍ରଶାସନ ପକ୍ଷରୁ କୌଣସି ପ୍ରତିଶୃତି ମିଳିନଥିବା କାରଣ ରୁ ଦୀର୍ଘ ସମୟ ଧରି ତୁମୁଡିବନ୍ଧ ରୁ ମୁନିଗୁଡା -ରାୟଗଡା -ଭବାନୀପାଟଣା -ବାଲିଗୁଡା ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଥିଲା । ସ୍ନେହଲତା ଦିଦିଙ୍କ ନ୍ୟାୟ ଦାବିରେ ଦୀର୍ଘ ୧୧ ଘଣ୍ଟା ଧରି ରାସ୍ତା ଅବରୋଧ ପରେ ରାସ୍ତାରୋକ ହଟିଥିଲା ।

କିନ୍ତୁ ଏତେ ସବୁ ପ୍ରତିବାଦ ଲଢେଇ ମଧ୍ୟରେ ଚିରନିଦ୍ରାରେ ରହିଗଲେ ସ୍ନେହଲତା ଦିଦି l ସ୍ନେହଲତା ଦିଦିଙ୍କୁ ହରେଇ ରାସ୍ତାରେ ମୁଣ୍ଡ ପିଟି ପିଟି କାନ୍ଦୁଛି ପରିବାର । ତାଙ୍କ ମୃତ୍ୟୁ ଘଟଣାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ପରିବାର ଲୋକ । ଏଥିସହ ଅଙ୍ଗନବାଡି ଦିଦିଙ୍କୁ ମନେ ପକାଇ ଝୁରୁଛି ତୁମୁଡିବନ୍ଧ ଅଞ୍ଚଳ ଓ ଝୁରୁଛନ୍ତି ତାଙ୍କ ସହକର୍ମୀ ସମସ୍ତ ଅଙ୍ଗନବାଡି ଦିଦି ।

ଆହୁରି ପଢନ୍ତୁ : ଅଙ୍ଗନବାଡ଼ି ଦିଦିଙ୍କୁ ଅତର୍କିତ ଆକ୍ରମଣ: ୧୦ ଘଣ୍ଟା ପରେ ବି ଚେତାଶୂନ୍ୟ, ହସ୍ପିଟାଲରେ ଭର୍ତ୍ତି