ନିଃସ୍ୱାର୍ଥପର ସେବା କରି ପ୍ରଶଂସା ସାଉଁଣ୍ଟୁଛନ୍ତି ଅଙ୍ଗନବାଡ଼ି କର୍ମୀ ଲିଲି, କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଛି ଚିଠି

କନ୍ଧମାଳ: ଅଙ୍ଗନଓ୍ଵାଡ଼ି କେନ୍ଦ୍ରକୁ ନିଜ ଘର ଭଳି ସଜାଇ ରଖିଛନ୍ତି । ଆଉ ଅଙ୍ଗନଓ୍ଵାଡ଼ି ଶିଶୁଙ୍କ ଯତ୍ନ ନେବା ସହ ଗର୍ଭବତୀ ମହିଳାଙ୍କ ସୁବିଧା ପାଇଁ ସବୁବେଳେ ପ୍ରାଣପଣେ ଚେଷ୍ଟା କରୁଛନ୍ତି ଅଙ୍ଗନୱାଡି କେନ୍ଦ୍ରର କର୍ମୀ ଲିଲି ପୁଷ୍ପିକା ଏକ୍କା । ନିଃସ୍ୱାର୍ଥଭାବେ ଅନ୍ୟମାନଙ୍କ ପାଇଁ ଯେଉଁ ସେବା କରୁଛନ୍ତି ତାହା ସତରେ ହୃଦୟସ୍ପର୍ଶୀ । ତେବେ ଲିଲିଙ୍କ ଏହି କାର୍ଯ୍ୟ ପାଇଁ ତାଙ୍କୁ ଦିଲ୍ଲୀ ଡାକରା ହୋଇଛି । ଭାରତରେ ୭୮ତମ ସ୍ବାଧୀନତା ଦିବସ ପାଳନ ପାଇଁ ପୁରପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବମୁଖର ହୋଇ ଉଠିଥିବାବେଳେ ଏହି ଅବସରରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସ୍ଥିତ ଦାରିଙ୍ଗବାଡ଼ି ନୀଳକନ୍ଦର ସାହିର ଅଙ୍ଗନୱାଡି କେନ୍ଦ୍ରର କର୍ମୀ ଲିଲି ପୁଷ୍ପିକା ଏକ୍କାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିଠି ଆସିଛି । ଆସନ୍ତା ସ୍ୱାଧୀନତା ଦିବସ ପାଳନ ଅବସରରେ ଲାଲକିଲ୍ଲା ଠାରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଅଙ୍ଗନାୱାଡି କର୍ମୀ ଲିଲି ଯୋଗଦେଇ ଅଭିଜ୍ଞତା ସାଉଁଟିବେ ।

ସେ ନିଜ ଅଙ୍ଗନବାଡ଼ି କେନ୍ଦ୍ରରେ ବିଭିନ୍ନ ପ୍ରକାର ଫୁଲର ବଗିଚା କରିବା ସହ ଶିଶୁ, କିଶୋରୀ ଓ ଗର୍ଭବତୀମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର ସୁବିଧା ଉପଲବ୍ଧ କରିଛନ୍ତି । ଏହା ସହିତ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ଆସୁଥିବା ସମସ୍ତ ସୁବିଧାକୁ ସୁଚାରୁରୂପେ କାର୍ଯ୍ୟକରି ଶିଶୁଙ୍କ ଯତ୍ନ ଓ ନିଜ କାର୍ଯ୍ୟର ସଫଳତାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଶଂସା ସାଉଁଟିଛନ୍ତି । ନିଜ କେନ୍ଦ୍ରରେ ମହିଳା, ଶିଶୁ ବିଶେଷ କରି ଗର୍ଭବତୀ ମହିଳାଙ୍କ ଯତ୍ନ ସଫଳତାର ସହ କରନ୍ତି । ଏଥିସହ କେନ୍ଦ୍ରରେ ଶିଶୁମାନଙ୍କ ରନ୍ଧା ଖାଦ୍ୟ ପାଇଁ ଜୈବିକ ପଦ୍ଧତିରେ ପନିପରିବା ଚାଷ କରି ଅଞ୍ଚଳରେ ପ୍ରଶଂସା ଅର୍ଜନ କରିଛନ୍ତି ଲିଲି ପୁଷ୍ପିକା ଏକ୍କା ।

କେବଳ ଶିଶୁ ନୁହଁନ୍ତି ଅଭିଭାବକ ଏବଂ ଗ୍ରାମବାସୀମାନେ ମଧ୍ୟ ଏହି ଅଙ୍ଗନୱାଡି କେନ୍ଦ୍ରକୁ ଦେଖିବାକୁ ଆସନ୍ତି । କାରଣ ଉକ୍ତ କେନ୍ଦ୍ରଟି ବିଭିନ୍ନ ପ୍ରକାରର ଫୁଲରେ ସୁସଜ୍ଜିତ ହୋଇ ଏକ ଛୋଟିଆ ପାର୍କର ଭ୍ରମ ସୃଷ୍ଟି କରୁଛି । ତାଙ୍କର ଏହି ମହାନ କାର୍ଯ୍ୟ ପାଇଁ ତାଙ୍କ ସ୍ୱାମୀ ମଧ୍ୟ ସହଯୋଗ କରିଥାନ୍ତି । ଏନେଇ କେନ୍ଦ୍ର ସରକାର ତାଙ୍କୁ ଲାଲକିଲ୍ଲାଠାରେ ହେଉଥିବା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଛନ୍ତି । ଲିଲିଙ୍କ କାର୍ଯ୍ୟକୁ ନେଇ ସମସ୍ତେ ବେଶ ଗର୍ବିତ ଥିବା କହିଛନ୍ତି ।

ଲିଲି ଏଭଳି କାର୍ଯ୍ୟ କରି ବେଶ ଖୁସି ହୁଅନ୍ତି । ଅନ୍ୟମାନଙ୍କୁ ସାହାଯ୍ୟ କରିବା ସହ ଅଙ୍ଗନଓ୍ଵାଡ଼ି କେନ୍ଦ୍ରକୁ କିପରି ସୁନ୍ଦର କରିବେ ସେଥିପାଇଁ ଚେଷ୍ଟା କରି ଚାଲିଛନ୍ତି । ଯଦି ପ୍ରତ୍ୟେକ ଅଙ୍ଗନଓ୍ଵାଡ଼ି କେନ୍ଦ୍ରକୁ ଏଭଳି ସୁନ୍ଦର ଭାବେ ସଜା ଯାଏ ତେବେ ପିଲାମାନେ ପାଠ ପଢ଼ିବା ପାଇଁ ନିଶ୍ଚୟ ଆଗ୍ରହ ଦେଖାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.