ବିଫଳ ପ୍ରେମିକର ଉନ୍ମତ୍ତକାଣ୍ଡ, ଏକତରଫା ପ୍ରେମ ନିବେଦନରେ ଅରାଜି ହେବାରୁ ଅଙ୍ଗନବାଡି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ

ଯାଜପୁର (କେନ୍ୟୁଜ): ପ୍ରେମିକର ଉନ୍ମତକାଣ୍ଡ । ପ୍ରେମିକାକୁ ପାଇବା ପାଇଁ ପ୍ରେମିକ କଲା ପାଗଳାମି । ଅଙ୍ଗନବାଡି କର୍ମୀ ଭାବେ କାମ କରୁଥିବା ମହିଳାଙ୍କୁ ଜଣେ ଯୁବକ ଏକତରଫା ପ୍ରେମ କରି ବିଫଳ ହେବା ପରେ ଆଜି ଉକ୍ତ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଛି । ଅଭିଯୋଗ ମୁତାବକ ଧର୍ମଶାଳା ଥାନା ଚୋରମୁହାଁ ଗ୍ରାମରେ ଆଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କୁ ପାଠ ପଡାଉଥିବା ମହିଳା କର୍ମୀ ତିଲୋତମା ବେହେରାଙ୍କୁ ସେହି ଗ୍ରାମର ଜଣେ ଯୁବକ ଏକତରଫା ପ୍ରେମ ନିବେଦନ କରିଥିଲେ ।

ଏହି ପ୍ରସ୍ତାବକୁ ମହିଳା ଜଣକ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ଏ ସମ୍ପର୍କରେ ଥାନରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଯୁବକ ରାକେଶ ଦାସକୁ କିଛି ମାସ ତଳେ ଗିରଫ କରିଥିଲା । ପରେ ସେ ପୁଣି ଗାଁକୁ ଫେରିଥିଲା । ତେବେ ଆଜି ସକାଳେ ମହିଳା କର୍ମୀ ଜଣକ ଅଙ୍ଗନବାଡି କେନ୍ଦ୍ରକୁ ଯାଉଥିବା ବେଳେ ଅଭିଯୁକ୍ତ ରାକେଶ ଅଚାନକ ଏକ ବାଉଁଶ କିଳାରେ ମହିଳାଙ୍କୁ ଆକ୍ରମଣ କରିଥିଲା । ଫଳରେ ମହିଳା ଜଣକ ଗୁରୁତର ଭାବେ ଆହତ ହୋଇ ତଳେ ପଡିଯାଇଥିଲେ ।

ପରେ ଗ୍ରାମବାସୀମାନେ ମହିଳାଙ୍କୁ ଉଦ୍ଧାର କରି ଧର୍ମଶାଳା ମେଡିକାଲରେ ଭର୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ମହିଳାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏନେଇ ମହିଳାଙ୍କ ସ୍ବାମୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଖୁବ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.