ୟୁଟ୍ୟୁବରୁ ଶିଖି ଫ୍ୟାସନ ସୋ’ ରେ ଚମକିଲେ ବାଲିଗୁଡା ଝିଅ ଆଞ୍ଜେଲ, ସାଉଣ୍ଟୁଛନ୍ତି ପ୍ରଶଂସା

ଆଞ୍ଜେଲଙ୍କ ଫ୍ୟାସନ ଜଲୱା । ଫ୍ୟାସନ ପ୍ରତି ରୁଚି ରଖିଥିବା ଜଣେ କୁନି ଝିଅ କେବଳ ୟୁଟ୍ୟୁବ ଦେଖି ପାଇଛନ୍ତି ଅନେକ ସଫଳତା । ବୟସ ମାତ୍ର ୧୨ ବର୍ଷ କିନ୍ତୁ ଫ୍ୟାସନ ଜଗତରେ କୁନି ବୟସରୁ ଏବେ ବେଶ ଚର୍ଚ୍ଚିତ । ଫ୍ୟାସନ ସୋ’ରେ ଚମକିଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡାର ଏହି ସୁନା ଝିଅ ଆଞ୍ଜେଲ ମହାନ୍ତି । ଭୁବନେଶ୍ୱରରେ ଆୟୋଜିତ ଏକ ଫ୍ୟାସନ ସୋ’ରେ ନିଜ ଜଲୱା ଦେଖାଇ ଏହି ସଫଳତା ସାଉଁଟୁଛନ୍ତି । ରାମ୍ପରେ ଚାଲି ଫ୍ୟାସନର ଯାଦୁ ଦେଖେଇବା ସହ ନିଜ ଅନ୍ତର୍ନିହିତ ପ୍ରତିଭାକୁ ସମସ୍ତଙ୍କୁ ଦେଖାଇ ପାରିଛନ୍ତି ଆଞ୍ଜେଲ ।

ଫ୍ୟାସନ ଦୁନିଆର ଲୋକପ୍ରିୟ ଫ୍ୟାସନ ସୋ’ ନୟନତାରା ସିଜନ 5 ର ଗ୍ରାଣ୍ଡ ଫିନାଲେରେ ନିଜ ଫ୍ୟାସନର ଜଲୱା ଦେଖାଇଛନ୍ତି ଆଞ୍ଜେଲ । କିଡସ୍ କ୍ୟାଟୋଗୋରିରୁ ଗ୍ରାଣ୍ଡ ଫିନାଲେରେ କିଡସ୍ ଇଣ୍ଡିଆ ନୟନତାରାରେ ଫାଷ୍ଟ ରନର୍ ଅପ ର ବିଜେତା ହୋଇଛନ୍ତି ବାଲିଗୁଡାର ଏହି ସୁନା ଝିଅ । ଫାଷ୍ଟ ରନର୍ ଅପ ର ବିଜେତା ମୁକୁଟ ପିନ୍ଧି ଆଞ୍ଜେଲ ବାଲିଗୁଡା ସହର ତଥା କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଏଥିସହ କନ୍ଧମାଳ ଜିଲ୍ଲାରୁ ଫ୍ୟାସନ ସୋ’ରେ ପ୍ରତିନିଧିତ୍ୱ କରି ଏପରି ସଫଳତା ପାଇବାରେ ମଧ୍ୟ ଆଞ୍ଜେଲ ପ୍ରଥମ ହୋଇଛନ୍ତି । ଯେଉଁଥିପାଇଁ ଆଞ୍ଜେଲଙ୍କ ଏହି ସଫଳତା ପରେ ଏବେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଆଗକୁ ବଡ଼ ହୋଇ ଫ୍ୟାସନ ଦୁନିଆରେ ପାଦ ଥାପି ନିଜ ଦେଶ ପାଇଁ ପ୍ରତିନିଧିତ୍ୱ କରିବାକୁ ଲକ୍ଷ ରଖିଛନ୍ତି ଆଞ୍ଜେଲ । ତେବେ ଆଞ୍ଜେଲଙ୍କ ସଫଳତା ପାଇଁ ସେ ତାଙ୍କ ପିତା ମାତା ସାଙ୍ଗକୁ ପବିବାରର ସମସ୍ତ ଲୋକଙ୍କୁ ଶ୍ରେୟ ଦେଇଛନ୍ତି ।

ଭୁବନେଶ୍ୱର ପଦ୍ମଜା ପ୍ରିମିୟମରେ ଅନୁଷ୍ଠିତ ହୋଇଥିଲା ନୟନତାରା ସିଜନ 5 ର ଗ୍ରାଣ୍ଡ ଫିନାଲେ । ଏଥିରେ ଭାଗ ନେଇଥିବା ୪୫୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୨୦ ପ୍ରତିଯୋଗୀ ଗ୍ରାଣ୍ଡ ଫିନାଲେ ରାଉଣ୍ଡକୁ ଉତୀର୍ଣ୍ଣ ହୋଇଥିଲେ । ଡ୍ୟାନ୍ସ, ଯୋଗ, ଅଭିନୟରେ ନିଜ ଦକ୍ଷତା ପ୍ରତିପାଦନ କରିବା ସାଙ୍ଗକୁ ପ୍ରତ୍ୟକ ପ୍ରତିଯୋଗୀଙ୍କୁ ବିଭିନ୍ନ ଡିଜାଇନର ପୋଷାକ ପିନ୍ଧି ରାମ୍ପରେ ଚାଲିବାକୁ ପଡିଥିଲା । ଶେଷରେ ନିଜ ଟ୍ୟାଲେଣ୍ଟର ଜଲୱା ଦେଖାଇ ଗ୍ରାଣ୍ଡ ଫିନାଲେରେ ଫାର୍ଷ୍ଟ ରନର୍ ଅପ ର ଟାଇଟଲ ଜିତିଛନ୍ତି ଆଞ୍ଜେଲ ।

ବାଲିଗୁଡା ସହରର ରେଙ୍ଗଟି ସାହିର ଅନିଲ ମହାନ୍ତି ଓ ମା’ ନିତୁନ ମହାନ୍ତିଙ୍କ ଝିଅ ଆଞ୍ଜେଲ । ଆଞ୍ଜେଲ ଛୋଟ ବେଳୁ ଓଡିଶୀ ନୃତ୍ୟ ସାଙ୍ଗକୁ ଗୀତ ଗାଇବା ସହ ଅଭିନୟରେ ମଧ୍ୟ ଅନେକ ସଫଳତା ପାଇଛନ୍ତି । ଏଥିସହ ଆଞ୍ଜେଲ ଜଣେ ମେଧାବୀ ଛାତ୍ରୀ । ତେବେ ନାଚ ଗୀତ ସାଙ୍ଗକୁ ଫ୍ୟାସନ ସୋ’ରେ ବାଲିଗୁଡା ଠାରୁ ଆରମ୍ଭ କରି କନ୍ଧମାଳ ଜିଲ୍ଲା ଓ ଜିଲ୍ଲା ବାହାରେ ଅଂଶ ଗ୍ରହଣ କରି ୫୦ରୁ ଉର୍ଦ୍ଧ ଟ୍ରଫି ସହ ସଫଳତା ମଧ୍ୟ ହାସଲ କରିଛନ୍ତି । ଆଞ୍ଜେଲଙ୍କ ଉଜ୍ୱଳ ଭବିଷ୍ୟତ ସାଙ୍ଗକୁ  ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବେ ବୋଲି ଆଞ୍ଜେଲଙ୍କ ପିତା ମାତା କହିଛନ୍ତି । ବଡ଼ ହୋଇ ଭବିଷ୍ୟତରେ ଫ୍ୟାସନ ଷ୍ଟାର ଭାବେ ନିଜ ଦେଶ ଭାରତ ପାଇଁ ପ୍ରତିନିଧିତ୍ୱ କରିବାକୁ ଲକ୍ଷ୍ୟ ରଖିଥିବା ଆଞ୍ଜେଲ ଏବେ ସାଉଁଟୁଛନ୍ତି ଅନେକ ସଫଳତା । ତାଙ୍କର ଏ ସଫଳତାରେ ବାପା ମା’ ବେଶ ଗର୍ବିତ ଅଛନ୍ତି ।