ବ୍ୟାଙ୍କରୁ କଟିଗଲା ଟଙ୍କା, ରାଗରେ ଏଟିଏମ୍ ଭାଙ୍ଗିଦେଲା ଯୁବକ

ଆନନ୍ଦପୁର: ହଠାତ୍ ଶୁଭିଲା ପ୍ରଚଣ୍ଡ ଶବ୍ଦ । କଣ ହେଲା କିଛି ସମୟ ପାଇଁ କିଏ ବୁଝିପାରିନଥିଲେ । ସମସ୍ତଙ୍କ ମନରେ ଏକ ପ୍ରକାରର ଭୟର ବାତାବରଣ ଖେଳିଗଲା । ଘଟଣା କଣ ବୁଝୁ ବୁଝୁ ସାମ୍ନାକୁ ଆସିଲା ଏମିତି କଥା ଯିଏ ଶୁଣିଲା ମୁଣ୍ଡରେ ହାତ ଦେଲା ।

ଛିନ୍ ଛତ୍ର ହୋଇ ପଡିଛି ଏହି ଏଟିଏମ୍ ଟି । ଏଟିଏମ୍ ଟିର କାଚ ଡୋରଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଯାଇଛି । ଏଟିଏମ୍ ମେସିନ୍ ଟି ଭାଙ୍ଗିରୁଜି ଚୁରମାର୍ ହୋଇଯାଇଛି । ହେଲେ ଏମିତି କେମିତି ହେଲା? କିଏ ଏଭଳି କାଣ୍ଡ ଘଟାଇଲା? ତେବେ ଦର୍ଶକବନ୍ଧୁ କଥାରେ କୁହାଯାଏ ମଣିଷର ରାଗ ବ୍ରହ୍ମଚଣ୍ଡାଳ । ଅତ୍ୟଧିକ ଉତକ୍ଷିପ୍ତ ହୋଇଗଲେ ସେ କଣ କରିବ ସେ ତାହା ନିଜେ ବି ଜାଣିପାରେନାହିଁ । ରାଗରେ ଆସିଲେ ନିଜର ହିତାହିତ ଜ୍ଞାନ ସେ ଭୁଲିଯାଏ । ଏପରି କାଣ୍ଡ ଘଟାଏ ଯାହା ପାଇଁ ତାକୁ ଦଣ୍ଡିତ ହେବାକୁ ପଡିଥାଏ । ଠିକ୍ ଏମିତି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।

ବ୍ୟାଙ୍କରୁ କଟିଗଲା ଟଙ୍କା । ଯାହା ପାଇଁ ରାଗରେ ଏଟିଏମ୍ ଭାଙ୍ଗିଦେଲା ଯୁବକ । ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ଘସିପୁରା ବସଷ୍ଟାଣ୍ଡ ନିକଟରେ ଥିବା ଏକ ଏଟିଏମରେ । ଏଟିଏମ୍ ଭାଙ୍ଗିଥିବା ଯୁବକ ଜଣକ ଘସିପୁରା ଥାନା ତାଳଗାଁର ସଞ୍ଜୟ କୁମାର ପାତ୍ର । ଯାହା ଖବର ମିଳିଛି କି, ସଞ୍ଜୟର ଆକାଉଣ୍ଟରୁ ଗତକାଲି ରାତିରେ ୧୧୦ ଟଙ୍କା କୌଣସି ବାବଦକୁ କଟି ଯାଇଥିଲା ।

ତେବେ ଏଥିରେ ଉତକ୍ଷିପ୍ତ ହୋଇ ସଞ୍ଜୟ ଏକ ହାତୁଡି ଧରି ବ୍ୟାଙ୍କକୁ ଆସିଥିଲେ । ବ୍ୟାଙ୍କ ବନ୍ଦ ଥିବାରୁ ସେ ଏଟିଏମକୁ ଯାଇ ହାତୁଡି ସାହାଯ୍ୟରେ ଏଟିଏମର କାଚ ଓ ମେସିନକୁ ପିଟି ପିଟି ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ଯେଉଁଥିରେ ସେ ନିଜେ ମଧ୍ୟ ଆହତ ହୋଇଥିଲା । ତେବେ ଏଟିଏମ ସମ୍ମୁଖରେ ଘସିପୁରା ଥାନା ଥିବାରୁ ପୋଲିସ୍ ଘଟଣାସ୍ଥଳରେ ତୁରନ୍ତ ଆସି ପହଁଚିଥିଲା ଏବଂ ଉକ୍ତ ଯୁବକକୁ କାବୁ କରି ଚିକିତ୍ସା ପାଇଁ ମେଡିକାଲ୍ ନେବା ସହିତ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଏପଟେ ଉକ୍ତ ଯୁବକର ମାନସିକ ସ୍ଥିତି ଠିକ୍ ନଥିବା କହିଛନ୍ତି କିଛି ସ୍ଥାନୀୟ ଲୋକେ ।

ଏଇ ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ, ଯୁବକଙ୍କୁ ଧରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍ । କେଉଁ ପରିସ୍ଥିତିରେ ଯୁବକ ଜଣକ ଏଭଳି ଅପ୍ରିତିକର ଘଟଣା ଘଟଣା ଘଟାଇବା ସହିତ ଆଇନକୁ ହାତକୁ ନେଲେ ତାହା ଉଚିତ୍ ତଦନ୍ତ ପରେ ହିଁ ସାମ୍ନାକୁ ଆସିବ ।

ଆହୁରି ପଢନ୍ତୁ:କିନ୍ନରଙ୍କ ମୁହଁରେ ହସ ଫୁଟାଇଲେ ଅତିରିକ୍ତ ଜିଲ୍ଲାପାଳ, ସମସ୍ତଙ୍କୁ ମିଳିବ ଆର୍ଥିକ ସାହାଯ୍ୟ