ଚୋର ବଖାଣିଲା ଚୋରିର କାହାଣୀ, କହିଲା କେମିତି ମହାପ୍ରଭୁଙ୍କୁ ଦେଖି ଥରିଲା ତା ହାତଗୋଡ

ଅନୁଗୋଳ: ଚୋର ବଖାଣିଲା ଚୋରିର କାହାଣୀ । କହିଲା କେମିତି ମହାପ୍ରଭୁଙ୍କୁ ଦେଖି ଥରିଲା ତା ହାତଗୋଡ । ତଥାପି ପଛଘୁଞ୍ଚା ନଦେଇ ମନ୍ଦିରରେ ବୁଲାଇଲା କଳାକନା । ଅନୁଗୋଳ ପୋଲିସ୍ କବଜାରେ ଶୈଳଶ୍ରୀ କ୍ଷେତ୍ରରୁ ଚୋରି କରିଥିବା ଚୋର । ଅନୁଗୋଳ ପୋଲିସ୍ ଚୋର ପାଖରେ ପହଁଚିବା ପୂର୍ବରୁ ନୟାଗଡ଼ ପୋଲିସ୍ ଚୋରକୁ ଧରିବାରେ ସଫଳ ହୋଇଛି । ଅନୁଗୋଳ ପୋଲିସ୍ ଚୋର କୁ ରିମାଣ୍ଡରେ ଆଣି କେମିତି ଜଗନ୍ନାଥ ମନ୍ଦିର ଲୁଟିଲା ସେନେଇ ସିନ୍ ରିକ୍ରିଏସନ୍ କରିଛି ।
ପ୍ରଥମେ ଠାକୁରଙ୍କୁ ଜୁହାର କଲା ତାପରେ ଲୁଟିଲା । ହଁ ଦର୍ଶକବନ୍ଧୁ ପ୍ରଥମେ ପଶିଲା ଲକ୍ଷ୍ମୀ ମନ୍ଦିରରେ । ୧୦ ମିନିଟ୍ କାଳ ଉଦ୍ୟମ କରି ହୁଣ୍ଡି ତାଲା ଭାଙ୍ଗି ପାରିଲା । ତା’ ପରେ ଆସିଲା ଜଗନ୍ନାଥ ମନ୍ଦିରକୁ । ଠାକୁରଙ୍କ ଆଖିରେ ଆଖି ପଡ଼ିବା ମାତ୍ରେ ହଠାତ୍ ତା ହାତଗୋଡ଼ ଥରିଲା । ଠାକୁରଙ୍କୁ ସେ ଚାହିଁ ପାରିଲାନାହିଁ । ଆଖି ବନ୍ଦ କରି ଠାକୁରଙ୍କୁ ଜୁହାର କଲା । ତାପରେ ଭୁଲ୍ ମାଗି ଚଢ଼ିଗଲା ରତ୍ନ ସିଂହାସନ ଉପରକୁ । ହାତ ବଢ଼ାଇ ତିନି ଠାକୁରଙ୍କ କପାଳରୁ ସୁନାର ଚିତା କାଢ଼ି ଆଣିଲା । ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଚୋରି ଘଟଣାର ମୁଖ୍ୟ ଅଭିଯୁକ୍ତ ୨୭ ବର୍ଷିୟ ସୁଶାନ୍ତ କର୍ମୀ ସିନ୍ ରିକ୍ରିଏସନ୍ କରି ପୋଲିସ୍ ଆଗରେ ଚୋରି ବେଳର ଏମିତି ଗୋଟି ଗୋଟି କଥା ବଖାଣିଛି ।
ମନ୍ଦିରକୁ କେଉଁ ବାଟେ ପଶିଲା, କେମିତି ଚୋରି କରି ଚମ୍ପଟ ମାରିଲା ପୋଲିସ୍କୁ ଡେମୋ ଦେଖାଇଛି । ସୂଚନା ଥାଉକି, ଗତ ଜାନୁଆରୀ ୧୬ ତାରିଖ ରାତିରେ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଥିଲା । ମନ୍ଦିର ହୁଣ୍ଡି ଭାଙ୍ଗି ଦାନ ଦକ୍ଷିଣା ନେଇଯିବା ସହିତ ରତ୍ନ ସିଂହାସନରେ ଚଢ଼ି ତିନି ଠାକୁରଙ୍କ କପାଳରେ ଲାଗିଥିବା ସୁନର ଚିତା ନେଇଥିଲା। ୩ରୁ ଅଧିକ ବାକ୍ସର ତାଲା ଭାଙ୍ଗିଥିଲେ ହେଁ ରୂପା ଓ ଅନ୍ୟ ବାସନକୁସନ ଦେଖି ହାତ ମରିନଥିଲା । ଘଟଣାର ପରଦିନ ସକାଳେ ଏହା ଜଣାପଡ଼ିବା ପରେ ଆଲୋଡ଼ନ ସୃଷ୍ଟି ହୋଇଥିଲା ଚାରିଆଡେ ।
ଅନୁଗୁଳବାସୀଙ୍କ ଭାବବେଗ ସହ ଜଡ଼ିତ ଜଗନ୍ନାଥ ମନ୍ଦିରରୁ ଚୋରି ଶକ୍ତ ଆଘାତ ପହଞ୍ଚାଇଥିଲା । ପୋଲିସ୍ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଥିଲା । ମାତ୍ର ମନ୍ଦିରର ସିସି ଟିଭି ଅଚଳ ଥିବାରୁ ଚୋରକୁ ଧରିବା ପୋଲିସ୍ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ବହୁ କସରତ ପରେ ଟେକ୍ନୋଲୋଜିର ସହଯୋଗରେ ପୋଲିସ୍ ଅଭିଯୁକ୍ତ ପାଖରେ ଶେଷରେ ପହଞ୍ଚିଥିଲା । ହେଲେ ଅନୁଗୁଳ ପୋଲିସ୍ ଅଭିଯୁକ୍ତ ପାଖରେ ପହଞ୍ଚିବା ପୂର୍ବରୁ ନୟାଗଡ଼ ପୋଲିସ ତା’କୁ କାବୁ କରିନେଇଥିଲା । କାହିଁକି ନା ଅଭିଯୁକ୍ତ ସୁଶାନ୍ତ ଅନୁରୂପ ଭାବେ ନୟାଗଡ଼ ଜଗନ୍ନାଥ ମନ୍ଦିରରୁ ଚୋରି କରିଥିଲା । ତା’ଠାରୁ ଚୋରି ସୁନା କିଣିବା ଅପରାଧରେ ପୋଲିସ୍ ୩ ଜଣ ଗହଣା ଦୋକାନୀଙ୍କୁ ମଧ୍ୟ ଗିରଫ କରିଛି । ସେମାନଙ୍କଠାରୁ ଚୋରି ସାମଗ୍ରୀ ଜବତ କରାଯାଇଥିଲା । ସୁଶାନ୍ତ ର ଘର ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଈଁଳାଚୁଆ ଗ୍ରାମର ।
ମନ୍ଦିର ଉପରେ ଚୋରଙ୍କ ଲୋଲୁପ ଦୃଷ୍ଟି । ସବୁସୀମା ପାର୍ କରୁଛନ୍ତି ଏ ଚୋର । ଶେଷରେ ଠାକୁରଙ୍କ ଠାରୁ ବି ଲୁଟି ନେଉଛନ୍ତି । ତେବେ ଏହି ଘଟଣାରେ ଚୋରକୁ ଧରିବା ପରେ, ଏବେ ସମଗ୍ର ସହରବାସୀ ପୋଲିସ୍ ପ୍ରଶାସନର କାର୍ଯ୍ୟଶୈଳୀକୁ ପ୍ରଶଂସା କରିଛନ୍ତି ।
ଆହୁରି ପଢନ୍ତୁ: ୨ ଫେରାର ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନକାଉଣ୍ଟର, ହସ୍ପିଟାଲରେ ଭର୍ତ୍ତି