ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ବଡସିନ୍ଧବା ସେକ୍ଟର ଏଏନଏମ ସରୋଜିନୀ ବେହେରା ଆଶା କର୍ମୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏପରିକି କାର୍ଯ୍ୟ ସମୟରେ ଦୁର୍ବ୍ୟବହାର ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିବା ଭିଡ଼ିଓ ଭାଇରାଲ ହୋଇଛି । ଏନେଇ ଆଜି ଭାଲିଆଗଣ୍ଡ ଗାଁର ଆଶା କର୍ମୀ ସୁଜତା ନାୟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଏସବୁ ଆଜିର କଥା ନୁହେଁ ୨୦୧୬ ମସିହାରୁ ଏଭଳି କରିଆସୁଛନ୍ତି ଏଏନଏମ ।
ଏଏନଏମ ସରୋଜିନୀ କାର୍ଯ୍ୟରତ ଆଶାକର୍ମୀମାନଙ୍କୁ ବିଭିନ୍ନ କାର୍ଯ୍ୟର ବିଲ୍ କରାଇବାକୁ ଲାଞ୍ଚ ମାଗୁଛନ୍ତି । ଆଉ ଲାଞ୍ଚ ନଦେଲେ ମାନସିକ ନିର୍ଯ୍ୟାତନା ସହ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଏଭଳିକି ଆଶାକର୍ମୀ ପ୍ରସ୍ତୁତ କରିଥିବା ବିଭିନ୍ନ ରିପୋର୍ଟ ମଧ୍ୟ ଚିରି ଫିଙ୍ଗିଦେଉଛନ୍ତି ଏଏନଏମ ଦିଦି । ସେମାନଙ୍କ ପାରିଶ୍ରମିକ ବେତନରୁ ଏଏନଏମ ୩୦୦ ଟଙ୍କା ଲାଞ୍ଚ ମାଗୁଛନ୍ତି । ଆଉ ଲାଞ୍ଚ ନଦେଲେ ମାସିକ ବେତନ ଦେଉନଥିବା ଅଭିଯୋଗ କରିଛନ୍ତି ଆଶାକର୍ମୀ ।
ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମୋହନା ମେଡିକାଲ ପରିଦର୍ଶନରେ ଆସିଥିବା ବେଳେ ଏହି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ଆଶାକର୍ମୀ । ତୁରନ୍ତ ସମ୍ପୃକ୍ତ ଏଏନଏମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଆଶାକର୍ମୀ ସଂଘ । ତେବେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ।