ନିଖିଳ ଓଡ଼ିଶା ବୈଦ୍ୟୁତିକ ଠିକାଦାର ମହାସଂଘର ବାର୍ଷିକ ଅଧିବେଶନ ଅନୁଷ୍ଠିତ

ଭୁବନେଶ୍ୱର : ନିଖିଳ ଓଡ଼ିଶା ବୈଦ୍ୟୁତିକ ଠିକାଦାର ମହାସଂଘର ବାର୍ଷିକ ଅଧିବେଶନ ଓ ଡାଇରୀ -୨୦୨୫ ଉନ୍ମୋଚନ ସମାରୋହ ଶୁକ୍ରବାର ସ୍ଥାନୀୟ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟର୍ସ ଭବନରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ଏକମ୍ର ଭୁବନେଶ୍ୱରର ବିଧାୟକ ବାବୁ ସିଂହ ମୁଖ୍ୟ ଅତିଥି ଏବଂ ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥିମାନେ ରାଜ୍ୟର ବିଦ୍ୟୁତ ପରିବହନ, ବଣ୍ଟନ ଓ ପରିଚାଳନା ତଥା ବୈଦ୍ୟୁତିକ କାର୍ଯ୍ୟକ୍ଷେତ୍ରରେ ଠିକାଦାରମାନଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ ।
ଏହାବ୍ୟତୀତ ସାମାଜିକ କ୍ଷେତ୍ରରେ ଠିକାଦାରଙ୍କ ଦାତବ୍ୟ କାର୍ଯ୍ୟାନୁଷ୍ଠାନର ତୁଳନାତ୍ମକ ବିବରଣୀ ପ୍ରଦାନ କରବା ସହ ରାଜ୍ୟର ସ୍ୱାର୍ଥରେ ସେମାନଙ୍କର ପ୍ରଶଂସନୀୟ ଅବଦାନର ଅବତାରଣା କରିଥିଲେ । ସଭାରେ ସଂଘ ସଭାପତି ଆଶୀଷ କୁମାର ସୋମ ଅଧ୍ୟକ୍ଷତା କରିଥିଲେ ଓ ସମ୍ପାଦକ ଭଗବାନ ବିଶ୍ୱାଳ, ଉପସଭାପତି ଚନ୍ଦନ କୁମାର ଶତପଥୀ, ଉପ ସାଧାରଣ ସମ୍ପାଦକ ଶୁଭକାନ୍ତ ସାମନ୍ତସିଂହାର ପ୍ରମୁଖ ଉଦବୋଧନ ଦେଇ ଜଗନ୍ନାଥଙ୍କ ରଥଯାତ୍ରା ସମୟରେ ଠିକାଦାରଙ୍କ ପକ୍ଷରୁ ବିନାଦେୟରେ ପ୍ରଦାନ କରାଯାଉଥିବା ସୁଷମ ଖାଦ୍ୟବଣ୍ଟନ ସମ୍ପର୍କରେ ଆଲୋକପାତ କରିଥିଲେ ।
ଉକ୍ତ ସଭାରେ ଅବସରପ୍ରାପ୍ତ ବରିଷ୍ଠ ବୈଦ୍ୟୁତିକ ଯନ୍ତ୍ରୀ କାଶୀବିଶ୍ୱନାଥ ଚୌଧୁରୀ, ଇଂ ରବୀନ୍ଦ୍ରନାଥ ସାହୁ, ଇଂ କ୍ଷୀରୋଦ କୁମାର ମହାପାତ୍ର, ଇଂ ସୀତାପ୍ରସାଦ ଦାସ, ଇଂ ସୁକାନ୍ତ କୁମାର ସ୍ୱାଇଁ, ଇଂ ତରୁଣ ବଳ୍ଲଭ ମିଶ୍ର ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ଶିଶିର କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭାସାଙ୍ଗ କରାଯାଇଥିଲା ।