ଚାନ୍ଦବାଲି ଡାକ୍ତରଖାନାରେ ପୁଣି ଏକ ଲାଞ୍ଚ ମାଗିବା ଅଭିଯୋଗ, ତଦନ୍ତ ରିପୋର୍ଟକୁ ଅପେକ୍ଷା
ଚାନ୍ଦବାଲି : ପୁଣି ଚର୍ଚ୍ଚାରେ ଚାନ୍ଦବାଲି ଡାକ୍ତରଖାନା । ପୁଣି ଦେଖାଦେଇଛି ରୋଗୀଙ୍କ ଅସନ୍ତୋଷ । ପୁଣି ହେଲା ଡାକ୍ତରଙ୍କ ନାଁରେ ଲାଞ୍ଚ ମଗା ଅଭିଯୋଗ । ହଁ ଆଜ୍ଞା ଏଇ ତିନି ଦିନ ତଳେ ହାତ ପ୍ଳାଷ୍ଟର ପାଇଁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଟଙ୍କା ମଗା ଘଟଣା ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ ପୁଣି ଜଣେ ରୋଗୀଙ୍କ ସମ୍ପର୍କୀୟ ରୋଗୀ ସେବା ପାଇଁ ମେଡିକାଲରେ ଲାଞ୍ଚ ମଗାଯାଉଥିବାର ଅଭିଯୋଗ ଆଣିଛନ୍ତି ।
ଅଭିଯୋଗ ଅନୁସାରେ ଚାନ୍ଦବାଲି ବ୍ଲକ ମତୋ ମାଳବାଡି ଗାଁର ସଂଘମିତ୍ରା ନାୟକ ତାଙ୍କର ପ୍ରସବ ଜନିତ ସମସ୍ୟାକୁ ନେଇ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ । ତାଙ୍କର ରକ୍ତସ୍ରାବ ହେଉଥିବା କାରଣରୁ ଗର୍ଭପାତର ସଂକେତ ଜାଣି ୱାସ କରିବାକୁ କହିଥିଲେ । ହେଲେ ସେଠାରେ ଡାକ୍ତର ଏବଂ ନର୍ସ ତାଙ୍କୁ ତିନି ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ସମ୍ପୃକ୍ତ ମହିଳାଙ୍କ ଭାଉଜ ଦୁଇ ହଜାର ଟଙ୍କା ଦେବା ପାଇଁ କହିଥିଲେ ଏବଂ ଟଙ୍କା ଯୋଗାଡ କରିବାରେ ସାମାନ୍ୟ ବିଳମ୍ବ ହେଇଯିବାରୁ ଡାକ୍ତର ରୋଗୀଙ୍କୁ ଚିକିତ୍ସା ନ କରି ଛାଡିଦେଇ ମେସିନ ଖରାପ ଅଛି କହି ଚାଲିଯାଇଥିବା ଅଭିଯୋଗ କରିଛନ୍ତି ସଂଘମିତ୍ରାଙ୍କ ଭାଉଜ ମଞ୍ଜୁଲତା ସାମଲ।
ତେବେ ଚାନ୍ଦବାଲି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ବାରମ୍ୱାର ଲାଞ୍ଚ ନିଆଯାଉଥିବା ଅଭିଯୋଗ ହେବା ପରେ ମଧ୍ୟ ବିଭାଗୀୟ ଅଧିକାରୀ କୌଣସି କାର୍ଯାନୁଷ୍ଠାନ ନେଉନଥିବା କାରଣରୁ ଉକ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି। ତେବେ ପୁର୍ବରୁ ଏଭଳି ଅନେକ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଙ୍କ ଉଦାସୀନତା କାରଣରୁ ରୋଗୀ ମାନେ ସରକାରୀ ଡ଼ାକ୍ତରଖାନାରୁ ମୁଁହ ଫେରାଇ ନେଉଥିବା ଦେଖିବାକୁ ମିଳିଛି।
ତେବେ ଏ ସମ୍ପର୍କରେ ଚାନ୍ଦବାଲି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଅଶୋକ ମିଶ୍ରଙ୍କୁ ପଚାରିବାରୁ ସେ ସଫେଇ ଦେଇଛନ୍ତି ଯେ ଲାଞ୍ଚ ନେବା ଘଟଣାରେ ମୋ ପାଖରେ କୌଣସି ଖବର ନଥିବା ବେଳେ ଉକ୍ତ ମହିଳା ଜଣଙ୍କ ଆଣିଥିବା ଅଭିଯୋଗ ଆଧାରରେ ତଦନ୍ତ କରିବା ପରେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ।
ଆପଣ କୁହନ୍ତୁ ସରକାରୀ ଡାକ୍ତରଖାନାରେ ଯଦି ଏମିତି ଘଟଣା ସବୁ ଘଟିବ ଆଉ ଏମିତି ଭାବେ ରୋଗୀଙ୍କ ସହ ହେବ ତାହେଲେ ଗରିବ ଲୋକଟେ କଣ କରିବ । ସରକାରୀ ଡାକ୍ତରଖାନା ତ ରୋଗୀଙ୍କ ପାଇଁ ନିଶୁଳ୍କ ସେବା ଯୋଗାଇବା ପାଇଁ ହୋଇଛି, ହେଲେ କାହିଁକି ବାରମ୍ବାର ରୋଗୀଙକ୍ ଠାରୁ ଲାଞ୍ଚ ମଗା ଅଭିଯୋଗ ଶୁଣିବାକୁ ମିଳୁଛି । ଏହାଉପରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଯେପରି ଏପ ରି କୌଣସି ବି ସରକାରୀ ଡାକ୍ତରଖାନାରେ ରୋଗୀଂଙ୍କ ସହ ହେବନି । ଏବଂ ଏପରି କରିବା ପୂର୍ବରୁ ଶହେ ଥରେ ଚିନ୍ତା କରିବେ ।