ଝାରସୁଗୁଡା: ସାରା ବିଶ୍ୱକୁ ଘାରିଥିବା ମହାମାରୀ କରୋନା ଯୁଦ୍ଧରେ ହାର ମାନିଛନ୍ତି ଆଉ ଜଣେ କରୋନା ଯୋଦ୍ଧା । କରୋନାରୁ ସୁରକ୍ଷା ଦେବା ପାଇଁ ଲୋକଙ୍କ ସେବା କରୁ କରୁ ଶେଷରେ ନିଜେ ଏହି କରୋନା ଲଢେଇରେ ହାରିଯାଇ ଆଖି ବୁଜିଛନ୍ତି ଝାରସୁଗୁଡା ଜିଲ୍ଲା ବଡମାଲ ଥାନାର ଏସଆଇ ରାଜକିଶୋର ସାମଦ । ଗତକାଲି ଭେଣ୍ଟିଲେଟରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ , ମହାମାରୀ କରୋନାରୁ ଜିଲ୍ଲା ବାସୀଙ୍କୁ ସୁରକ୍ଷା ଦେଉଥିବା ସମୟରେ ସେ ନିଜେ କରୋନା ଆକ୍ରାନ୍ତ ହୋଇଥିଲେ । ନିଜ କର୍ତ୍ତବ୍ୟରେ ଅବହେଳା ନକରି ନିଜ କାର୍ଯ୍ୟକୁ ସୂଚାରୁ ରୂପରେ ଚଲାଉଥିଲେ ରାଜକିଶୋର ସାମଦ ।ତେବେ ଅଗଷ୍ଟ ୧୭ ତାରିଖରେ ତାଙ୍କର କୋଭିଡ-୧୯ ରିର୍ପୋଟ ପଜିଟିଭ ଆସିଥିଲା । ଏହାପରେ ତାଙ୍କୁ ଝାରସୁଗୁଡା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା ।
ଚିକିତ୍ସାଧିନ ରହିଥିବା ସମୟରେ ଏସଆଇଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଯାଇଥିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖିବା ସହ ପ୍ଲାଜମା ଥେରାପି ମଧ୍ୟ ପ୍ରଦାନ କରାଯାଉଥିଲା । ଏହା ସତ୍ତ୍ୱେ ମଧ୍ୟ ଗତକାଲି ତାଙ୍କ ଜୀବନ ଦିପ ଲିଭି ଯାଇଥିଲା । ଏସଆଇ ରାଜକିଶୋରଙ୍କର ଦେହାନ୍ତ ପରେ ଜିଳ୍ଲା ପୋଲିସ୍ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ରାଜ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହା ସହ କୋଭିଡ –୧୯ର ସମସ୍ତ ଗାଇଡ ଲାଇନ ପାଳନ କରି ଶେଷକୃତ୍ଯ ସମ୍ପନ୍ନ କରାଯାଇଛି।