ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି, ୨୨ରୁ ୨୪ ଯାଏଁ ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଆସୁଛି ଲଘୁଚାପ, ବଢ଼ିବ ବର୍ଷା । ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା। ଆଜି ଉତ୍ତର ଆଣ୍ଡାମାନ ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ପ୍ରଭାବରେ ୨୩ ତାରିଖ ସୁଦ୍ଧା ଉତ୍ତର ପଶ୍ଚିମ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ରାଜ୍ୟରେ ଆସନ୍ତାକାଲିଠୁ ବଢ଼ିବ ବର୍ଷା ।  ୨୨ରୁ ୨୪ ଯାଏଁ ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆସନ୍ତକାଲି ଅଧିକାଂଶ ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୨ ତାରିଖରେ ପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, ପୁରୀ, ଖୋର୍ଦ୍ଧା,ଅନୁଗୁଳ, ଢେଙ୍କାନାଳ, କଟକ ,ଜଗତସିଂହପୁର ଓ କେନ୍ଦ୍ରାପଡା ଏହି ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।  ଲଘୁଚାପ ସୃଷ୍ଟି ହେବା ପରେ ଏହାର ଗତିପଥ ସ୍ପଷ୍ଟ ହେବ ବୋଲି କହିଛି ପାଣିପାଗ ବିଭାଗ ।  ଫଳରେ କେଉଁ ଜିଲ୍ଲା ରେ ଏହାର କେତେ ପ୍ରଭାବ ପଡ଼ିବ ତାହା ପରବର୍ତ୍ତୀ ପର୍ଯ୍ୟାୟରେ ଜଣାପଡ଼ିବ।

ସେପଟେ ଗତ ୨୪ ଘଣ୍ଟା ରେ ରାଜ୍ୟର କାଁଭାଁ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ କୋରାପୁଟ କୋଟପାଡ ରେ ସର୍ବାଧିକ ୬୩.୦୦ ମିମି ବର୍ଷା ରେକର୍ଡ କରାଯାଇଛି। ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୧୦୦୩ .୧ ମିମି ମିମି ବର୍ଷା ରେକର୍ଡ ହୋଇଛି ।  ଏବେବି ୮ ପ୍ରତିଶତ ନିଅଁଟିଆ ବର୍ଷା ରହିଛି। ୧୦୯୧.୧ ମିମି ବର୍ଷା ସ୍ୱାଭାବିକ ରହିବା କଥା । ବର୍ତ୍ତମାନ ସୁଦ୍ଧା ଗୋଟିଏ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ୧୯ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ଓ ୧୦ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like