ବନବିଭାଗ କର୍ମଚାରୀଙ୍କ ବେପରୁଆ ମନୋଭାବ ନା ଆଉ କିଛି? ପୁଣି ଗଲା ଦନ୍ତାର ଜୀବନ

ପାଟଣାଗଡ଼: ଓଡିଶାରେ ସଙ୍କଟରେ ଗଜରାଜ । ଅକାଳରେ ଟଳି ପଡୁଛନ୍ତି ଗଜରାଜ । ଦିନକୁ ଦିନ ବଢ଼ି ଚାଲିଛି ହାତୀ ମୃତ୍ୟୁ ସଂଖ୍ୟା । ଜନସାଧାରଣରେ ଜୋର ଧରୁଛି ଚର୍ଚ୍ଚା । ସୁରକ୍ଷା ଦାୟିତ୍ୱରେ ଥିବା ବନବିଭାଗ କର୍ମଚାରୀ କରୁଛନ୍ତି କି ଅବହେଳା?

ବଲାଙ୍ଗିର ଜିଲ୍ଲାରେ ଗତ କିଛି ମାସ ମଧ୍ୟରେ ଦୁଇଟି ହାତୀଙ୍କ ମୃତ୍ୟୁ ଖବର ଲୋକଙ୍କ ମନରୁ ଲିଭିନଥିବା ବେଳେ ଏବେ ପୁଣି ଆଉ ଗୋଟିଏ ଦନ୍ତାର ମୃତ୍ୟୁ ଖବର ଆସି ପହଁଚିଛି ପାଟଣାଗଡ଼ ରେଞ୍ଜ ଲରମ୍ଭା ସେକ୍ସନ ଗଡିଆଜୋର ଗାଁ ନିକଟସ୍ଥ ଜଙ୍ଗଲରୁ । ଗତକାଲି ସକାଳୁ ଗଡିଆଜୋର ଜଙ୍ଗଲ ଭିତରେ ଥିବା ଡେମ ରାସ୍ତାରେ ଗୋଟିଏ ଦନ୍ତା ହାତୀର ମୃତଦେହ ପଡ଼ିଥିବା ଖବର ପାଇ ଲରମ୍ଭା ସେକ୍ସନ ବନବିଭାଗ କର୍ମଚାରୀ ପହଞ୍ଚି ଥିବାବେଳେ ଦନ୍ତାହାତୀଟି ଟଳି ନପଡି ବସିବା ପରି ରହିଥିବାରୁ ବିଭିନ୍ନ ଦିଗରୁ ଅନୁଧ୍ୟାନ କରିଥିଲା ବନବିଭାଗ ।

ହାତୀର ମୃତ୍ୟୁ ପାଇଁ କେହି କେହି ବନବିଭାଗ କର୍ମଚାରୀଙ୍କ ବେପରୁଆ ମନୋଭାବକୁ ଦାୟି କରୁଥିବା ବେଳେ, ଏପଟେ ବାର୍ହା ଶିକାର ପାଇଁ ବିଛାଯାଇଥିବା ଲାଇନ ତାରରେ ଲାଗି ଦନ୍ତା ମୃତ୍ୟୁ ହୋଇଥିବା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ବନବିଭାଗ ପକ୍ଷରୁ ହାତୀ ବିଷୟରେ କୌଣସି ସୂଚନା ଦିଆଯାଉନଥିବା ଓ ହାତୀ ଉପରେ ବିଶେଷ ନଜର ବନବିଭାଗ ତରଫରୁ ରଖାଯାଉନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।

ଗତକାଲି ବନବିଭାଗରୁ ବଲାଙ୍ଗିର ଡିଏଫଓ ସୁଦର୍ଶନ ବେହେରା ଓ ଏସିଏଫ ମାନସ ରଞ୍ଜନ ବେହେରା ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଆଜି ବନବିଭାଗ କର୍ମଚାରୀ, ଡାକ୍ତରୀଟିମ ଓ ବିଦ୍ୟୁତ୍ ବିଭାଗ କର୍ମଚାରୀ ପହଞ୍ଚି ଦନ୍ତାର ଶବ ବ୍ୟବଚ୍ଛେଦ କରିଥିବା ବେଳେ ବୟସ ଅଧିକ ହେତୁ ଦନ୍ତାର ମୃତ୍ୟୁ ହୋଇଥାଇପାରେ ଓ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ ତଥ୍ୟ ଜଣାପଡିବ ବୋଲି କହିଛନ୍ତି ଡିଏଫଓ ସୁଦର୍ଶନ ବେହେରା ।

ଦନ୍ତା ବିଦ୍ୟୁତ୍ ତାରରେ ଲାଗି ମୃତ୍ୟୁ ହୋଇଥିବା କଥାକୁ ଖଣ୍ଡନ କରି ବିଦ୍ୟୁତ୍ ବିଭାଗ ଏସଡିଓ । ତିନି କିଲୋମିଟର ମଧ୍ୟରେ କୌଣସି ଲାଇନତାର ନଥିବାରୁ ଲାଇନ୍ ତାରରେ ଲାଗିବା ଅଭିଯୋଗ ଭିତ୍ତିହୀନ ବୋଲି ସେ ମତ ରଖିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଗଜରାଜଙ୍କ ସୁରକ୍ଷା ପାଇଁ ଅନେକ କର୍ମଚାରୀ ଥିବାବେଳେ ଓ ଅନେକ ଯୋଜନା କରାଯାଉଥିବା ବେଳେ, ଏଭଳି  ବାରମ୍ବାର ହାତୀ ମୃତ୍ୟୁ କାହିଁକି ହେଉଛି?

ହାତୀ ମୃତ୍ୟୁ ରୋକିବା ପାଇଁ କରାଯାଇଛି ଅନେକ ଯୋଜନା । ହେଲେ ବନବିଭାଗ କର୍ମଚାରୀଙ୍କ ଦାୟିତ୍ୱହୀନତା ହେତୁ ଅକାଳରେ ଟଳି ପଡୁଛନ୍ତି ଗଜରାଜ । କର୍ମଚାରୀ ମାନେ ଅଫିସରେ ନବସି ଜଙ୍ଗଲକୁ ଯାଇ ସଠିକ୍ ସ୍ଥିତି ଅନୁଧ୍ୟାନ କଲେ ଜନଜୀବନ ସହିତ ବନ୍ୟପ୍ରାଣୀ ସୁରକ୍ଷିତ ରୁହନ୍ତେ ବୋଲି ମତ ଦେଇଛନ୍ତି ବୁଦ୍ଧିଜୀବୀ ।

 

You might also like