ଛତିଶଗଡ଼ ଗରିୟାବନ୍ଧ ଜଙ୍ଗଲରେ ପୁଣି ଏନକାଉଣ୍ଟର, ୨ ମାଓବାଦୀ ନିହତ

ମାଲକାନଗିରି : ଚାଲିଛି ମାଓ ନିପାତ ଅଭିଯାନ । ଭୁଶୁଡୁଛି ଲାଲ ଗଡ଼ । ପୁଣି ଦୁଇ ମାଓବାଦୀ ମୃତ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଗରିୟାବନ୍ଧ ଜଙ୍ଗଲରେ ପୋଲିସ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ ହୋଇଛନ୍ତି । ଦୁଇ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି ସୁରକ୍ଷାକର୍ମୀ ।
ଘଟଣା ସ୍ଥଳରୁ ଗୋଟିଏ AK 47 ମଧ୍ୟ ଜବତ ହୋଇଛି । ସେପଟେ ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ତାଲିମ ଶିବିରକୁ କବଜା କରିଛନ୍ତି ସୁରକ୍ଷା କର୍ମୀ । ଭଟ୍ଟିଗୁଡ଼ା ନିକଟସ୍ଥ ଏକ ଘଞ୍ଚ ଜଙ୍ଗଲ ଭିତରେ ନକ୍ସଲ ମାନେ ଏହି ହାଇଟେକ୍ ତାଲିମ ଶିବିର ସ୍ଥାପନ କରିଥିଲେ । ସିଆରପିଏଫ ବାହିନୀର କୋବ୍ରା ଜବାନ ମାନେ ଜଙ୍ଗଲ ଭିତରେ କମ୍ବିଂ ଅପରେସନରେ ଯାଇଥିବା ବେଳେ ଲାଲ୍ ରଙ୍ଗର ଏହି ତାଲିମ ଶିବିରକୁ ଠାବ କରିଥିଲେ ।
ତାଲିମ ଶିବିର ଭିତରେ ଥିବା ପକ୍କା ଘର ଓ ମାଓବାଦୀଙ୍କ ସ୍ମାରକ ଭାଙ୍ଗି ଦେଇଛନ୍ତି ସୁରକ୍ଷା କର୍ମୀ । ତାଲିମ ଶିବିର ଭିତରେ ନକ୍ସଲ ମାନେ ପ୍ରଶିକ୍ଷଣ ଦେବା ପାଇଁ ଆକାଶକୁ ଛୁଇଁଲା ଭଳି ବଡ ବଡ ଗଛଲଗାଇଥିଲେ । ତାଲିମ ପାଇଁ କଂକ୍ରିଟ୍ ବାରାକ୍ ଓ କୁଡ଼ିଆ ଘର ନିର୍ମାଣ କରାଯାଇଥିଲା ଯାହାକୁ ନଷ୍ଟ କରିଛନ୍ତି ସୁରକ୍ଷା କର୍ମୀ । ଦକ୍ଷିଣ ବସ୍ତର ମାଓ ସଙ୍ଗଠନ ର ଟପ ମାଓବାଦୀଙ୍କ ଆଡ୍ଡା ସ୍ଥଳୀ ଥିଲା ଏହି ୱାର ରୁମ ।
ସେହିପରି ବିଜାପୁର ଜିଲ୍ଲା ଗଙ୍ଗଲୁର ଜଙ୍ଗଲରେ ମାଓବାଦୀ ଖଞ୍ଜିଥିବା IED ଉଦ୍ଧାର କରି ନିଷ୍କ୍ରିୟ କରିଛନ୍ତି ସୁରକ୍ଷାକର୍ମୀ । DRG ଏବଂ କୋବ୍ରା ଜବାନ କମ୍ବିଂ ଅପରେସନ ବେଳେ ଲ୍ୟାଣ୍ଡମାଇନ ଡିଟେକ୍ଟର ସାହାଯ୍ୟରେ ଏହାକୁ ଠାବ କରିଥିଲେ । IED ଉଦ୍ଧାର ପରେ ଜଙ୍ଗଲ ମଧ୍ୟରେ ଜବାନ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।
Also read: ଓଡ଼ିଶା- ଛତିଶଗଡ଼ ସୀମାରେ ଏନକାଉଣ୍ଟର: ୨ ମହିଳାଙ୍କ ସମେତ ୧୬ ମାଓବାଦୀ ନିହତ