ଜାପାନର କୋୟାସାନ୍ ବିଶ୍ୱବିଦ୍ୟାଳୟରୁ ଡ. ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍

ଭୁବନେଶ୍ୱର (କେନ୍ୟୁଜ୍) : ଶିକ୍ଷାବିତ୍ ଓ ସମାଜସେବୀ ଡ. ଅଚ୍ୟୁତ ସାମନ୍ତଙ୍କୁ ଜାପାନର କୋୟାସାନ୍ ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟୋରେଟ୍ ପ୍ରଦାନ କରାଯାଇଛି । ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଡ. ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହା ହେଉଛି ଡ. ଅଚ୍ୟୁତ ସାମନ୍ତଙ୍କର ୫୮ତମ ସମ୍ମାନସୂଚକ ଡକ୍ଟୋରେଟ୍ । ପ୍ରଥମ ଭାରତୀୟ ଭାବେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାଭିସ୍ଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ କୋୟାସାନ୍ ବିଶ୍ୱବିଦ୍ୟାଳୟରୁ ଏହି ସମ୍ମାନ ପାଇବାରେ ଡ. ସାମନ୍ତ ହେଉଛନ୍ତି ଦ୍ୱିତୀୟ ଭାରତୀୟ ।
ଗତ ମଙ୍ଗଳବାର ଦିନ ବିଶ୍ୱବିଦ୍ୟାଳୟର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓସାକା-କୋବେରେ ଅବସ୍ଥାପିତ ଭାରତୀୟ କନ୍ସୁଲ୍ ଜେନେରାଲ ନିଖିଳେଶ ଗିରି ଓ କୋୟାସାନ୍ ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ବିଶ୍ୱବିଦ୍ୟାଳୟର ସଭାପତି ସୋଏଡ଼ା ୟୁସୋ ଡ. ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ ।
ସୂଚନାଯୋଗ୍ୟ, ୧୯୨୬ରେ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଥିବା ଏହି ଅନୁଷ୍ଠାନ ଜାପାନର ୧୦୦ ବର୍ଷରୁ ଅଧିକ ଅନ୍ୟତମ ପୁରାତନ ବିଶ୍ୱବିଦ୍ୟାଳୟ । କୋୟାସାନ୍ ବିଶ୍ୱବିଦ୍ୟାଳୟରେ ପହଞ୍ଚିବା ପରେ ଡ. ସାମନ୍ତ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଡ. ସାମନ୍ତଙ୍କ ଜାପାନ ଗସ୍ତ ଅବସରରେ କିଟ୍ ବିଶ୍ୱବିଦ୍ୟାଳୟ ଓ କୋୟାସାନ୍ ବିଶ୍ୱବିଦ୍ୟାଳୟ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଅବସରରେ ଡ. ସାମନ୍ତ ଟୋକିଓ ସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ଶିବି ଜର୍ଜଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।