ନିଜେ ଏ ଦୁନିଆ ଛାଡ଼ି ଚାଲିଗଲେ ସତ, ହେଲେ ୨ଜଣଙ୍କୁ ଦେଲେ ନୂଆ ଜୀବନ

କଟକ: ନିଜେ ଏ ଦୁନିଆ ଛାଡ଼ି ଚାଲିଗଲେ ସତ । କିନ୍ତୁ ଅନ୍ୟମାନଙ୍କୁ ଦେଇଗଲେ ନୂଆ ଜୀବନର ଉପହାର । ଅଙ୍ଗଦାନ ଦେଲା ନୂଆ ଜୀବନ । ମୃତ୍ୟୁ ପରେ ବି ରହିଗଲେ ଜୀବିତ । ଏସସିବି ମେଡିକାଲରେ ପୁଣି ହେଲା ସଫଳ କାଡାଭେରିକ କିଡନୀ ପ୍ରତିରୋପଣ । ଜୁନିଅର ଡାକ୍ତର ମାନେ ଆନ୍ଦୋଳନରେ ଥିବା ବେଳେ ଏହି ସଫଳ ପ୍ରତିରୋପଣ କରାଯାଇଛି । ଜଣେ ମହିଳାଙ୍କ ମୃତ୍ୟୁ ପରେ ଦୁଇ ଜଣ ପାଇଲେ ନୂଆ ଜୀବନ । ହଁ ଦର୍ଶକବନ୍ଧୁ ଏସସିବି ମେଡିକାଲରେ ସଫଳ ହୋଇଛି ୧୫ ତମ କିଡାଭେରିକ କିଡନୀ ପ୍ରତିରୋପଣ ।
ମସ୍ତିଷ୍କ ଆଘାତ ଲାଗି ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ଝାରସୁଗୁଡ଼ା ଅଞ୍ଚଳର ରଶ୍ମିପ୍ରଭା ପଟେଲଙ୍କର ଗତକାଲି ମୃତ୍ୟୁ ହୋଇଥିଲା । ମୃତ୍ୟୁ ହେବା ପରେ ଛାତିରେ ପଥର ରଖି ମହାନତା ଦେଖାଇଲେ ତାଙ୍କ ପରିବାର ଲୋକେ । ପରିବାରର ସହମତି ନିଆଯାଇ ଦୁଇଟି କିଡନୀ ବାହାର କରାଯାଇଥିଲା ।
ଗୋଟିଏ କିଡନୀ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ପ୍ରତିରୋପଣ କରାଯାଇଥିବା ବେଳେ ଅନ୍ୟଟି ଗ୍ରିନ୍ କରିଡର କରାଯାଇ କେନ୍ଦୁଝର ଜିଲ୍ଲାର ଭରତ ଚନ୍ଦ୍ର ରାଉତଙ୍କ ଠାରେ ପ୍ରତିରୋପଣ କରାଯାଇଛି । ବର୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଥିବା କୁହାଯାଉଛି । ଏସସିବି ମେଡିକାଲର ୟୁରୋଲୋଜି, ନେଫ୍ରୋଲୋଜି ଓ ଆନେସ୍ଥେସିଆ ବିଭାଗର ଡାକ୍ତର ମିଳିତ ଭାବେ ଏହି ପ୍ରତିରୋପଣ କରିଥିଲେ ।
ତେବେ ସତ କଥାଟା ହେଲାକି ଆଜି ମଧ୍ୟ ଆମ ସମାଜର ମଣିଷମାନଙ୍କ ଭିତରେ ବଞ୍ଚିରହିଛି ମଣିଷ ପଣିଆ। ଜଣେ ମଣିଷର ଜୀବନ ବଞ୍ଚାଇବ ଠାରୁ ଅଧିକ ପୁଣ୍ୟ କାମ କିଛି ନାହି ବୋଲି କୁହାଯାଏ । ମାନବ ସମାଜର କଲ୍ୟାଣ ପାଇଁ ଶରୀର ଓ ଅଙ୍ଗଦାନଠାରୁ ବଡ଼ ଆଉ କିଛି ନାହିଁ ବୋଲି ମଧ୍ୟ ଜଣାଯାଏ ।