‘ଯମୁନା’ ପରେ ଶିମିଳିପାଳକୁ ଆସିଲା ଦ୍ବିତୀୟ ବାଘୁଣୀ ‘ଗଙ୍ଗା’

ମୟୂରଭଞ୍ଜ : ଶିମିଳିପାଳକୁ ଆସିଲା ଆଉ ଏକ ବାଘୁଣୀ । ‘ଯମୁନା’ ପରେ ଶିମିଳିପାଳକୁ ଆସିଲା ଦ୍ବିତୀୟ ବାଘୁଣୀ ‘ଗଙ୍ଗା’। ଗତ ୭ ତାରିଖ ମହାରାଷ୍ଟ୍ରର ତଡ଼ବା ଜଙ୍ଗଲକୁ ଯାଇଥିଲା ଶିମିଳିପାଳର ଏକ ସ୍ବତନ୍ତ୍ର ୧୦ ଜଣିଆ ଟିମ୍ । ତଡ଼ବା ଜଙ୍ଗଲରେ ଟ୍ରାଙ୍କୁଲାଇଜ୍ କରାଯାଇ ବାଘୁଣୀକୁ ସ୍ଵତନ୍ତ୍ର ଜନ୍ତାରେ ଶିମିଳିପାଳକୁ ଅଣାଯାଇଛି । ଶିମିଳିପାଳ କବାଟଘାଇ ଅଞ୍ଚଳରେ ପ୍ରସ୍ତୁତ ସଫ୍ଟ ଏନକ୍ଲୋଜୋରରେ ବାଘୁଣୀ ଗଙ୍ଗାକୁ ଛଡ଼ାଯିବ। ଏଥିପାଇଁ ସ୍ଵତନ୍ତ୍ର ଡାକ୍ତରୀ ଟିମ୍ ମଧ୍ୟ ପ୍ରସ୍ତୁତ ଥିବା ଜଣା ପଡିଛି । ପୂର୍ବରୁ ଗତ ଅକ୍ଟୋବର ୨୮ରେ ଶିମିଳିପାଳକୁ ଆସିଥିଲା ଯମୁନା । ମହାରାଷ୍ଟ୍ରରୁ ଆସିଥିବା ଅଢେଇ ବର୍ଷର ବାଘୁଣୀ ଯମୁନାକୁ ଶିମିଳିପାଳର ବ୍ୟାଘ୍ର ସଂରକ୍ଷଣରେ ଛଡ଼ା ଯାଇଥିଲା । ଏବେ ଦ୍ବିତୀୟ ବାଘୁଣୀ କୁ ଶିମିଳିପାଳ ଅଣାଯାଇଛି ।

୨୦୨୩ ବାଘ ଗଣନା ଅନୁସାରେ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ମହାବଳ ବାଘ ସଂଖ୍ୟା ବଢିଛି । ୩୯ଟି ବାଘ ଥିବା ବେଳେ ୫୦ପ୍ରତିଶତ କଳା ବାଘ ରହିଛନ୍ତି । ତେଣୁ ଭବିଷ୍ୟତରେ ବାଘ ସଂଖ୍ୟା ବୃଦ୍ଧି ପାଇଁ ବାହାର ରାଜ୍ୟରୁ ଦୁଇଟି ବାଘୁଣୀ ଆଣିବା ନେଇ ଯୋଜନା ହୋଇଥିଲା । ତିନିମାସ ତଳେ ରାଜ୍ୟ ମୁଖ୍ୟ ବନ ସଂରକ୍ଷକ ଏନଟିସିଏକୁ ଆବେଦନ କରିଥିଲେ । ଏନ.ଟି.ସି.ଏ ପକ୍ଷରୁ ଅନୁମତି ମିଳିବା ପରେ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଥିଲେ । ଏହାପରେ ବନବିଭାଗର ଏକ ସ୍ୱତନ୍ତ୍ର ଟିମ୍ ମୟୂରଭଞ୍ଜରୁ ମହାରାଷ୍ଟ୍ର ଯାଇଥିଲେ । ତେବେ ଅକ୍ଟୋବର ୨୮ରେ ଶିମିଳିପାଳକୁ ଆସିଥିଲା ଯମୁନା, ଆଉ ଏବେ ଦ୍ବିତୀୟ ବାଘୁଣୀ କୁ ଶିମିଳିପାଳ ଅଣାଯାଇଛି ।

You might also like