କଠିନ ପରିଶ୍ରମ ବଳରେ ଆମେରିକାକୁ ୫ ବର୍ଷିଆ ଗବେଷଣା କରିବା ପାଇଁ ମନୋନୀତ ହୋଇଛନ୍ତି ଅଂଶୁମାନ

ଯାଜପୁର: କୁହାଯାଏ ନିଜ ଭିତରେ ଦୃଢ଼ ଆତ୍ମବିଶ୍ୱାସ ଏବଂ କଠିନ ପରିଶ୍ରମ ଥିଲେ ସଫଳତା ଆପେ ଆପେ ଆସେ । ଯେ କୌଣସି ପ୍ରତିବନ୍ଧକକୁ ପାର କରି ସଫଳତା ମିଳିପାରିବ । ଯାହାକୁ ପ୍ରମାଣ କରିଦେଖାଇଛନ୍ତି ଯାଜପୁର ବ୍ଲକ ଖଇରାବାଦ ପଞ୍ଚାୟତ ମଙ୍ଗଳପୁର ଗାଁର ଅଂଶୁମାନ ସାହୁ । ଅଂଶୁମାନ ନିଜର କଠିନ ପରିଶ୍ରମ ବଳରେ ଆମେରିକାକୁ ୫ ବର୍ଷିଆ ଗବେଷଣା କରିବା ପାଇଁ ମନୋନୀତ ହୋଇଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ତାଙ୍କୁ ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ବିଦେଶକୁ ପାଠ ପଢ଼ିବାକୁ ଯାଇ ଗବେଶଣା କରିବେ ଅଂଶୁମାନ । ନିଜର କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ଏହି ସଫଳତା ଆଣି ଦେଇଛି । ଦାରିଦ୍ର‌୍ୟର କଷାଘାତ ତାଙ୍କ ସଫଳତାକୁ ରୋକିପାରିନି । ସମସ୍ତ ଘାତ ପ୍ରତିଘାତକୁ ପାର କରି ସେ ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି । ସେ ଆମେରିକାର ପିଟସବର୍ଗ ସ୍ଥିତ କାର୍ନିଗ ମେଲୋନ ବିଶ୍ୱବିଦ୍ୟାଳୟରେ ପିଏଚଡି କରିବା ପାଇଁ ମନୋନୀତ ହୋଇଛନ୍ତି । ସେ ଆସନ୍ତା ୫ ବର୍ଷ ପାଇଁ ସେଠାରେ ଆଗାମୀ ପିଢ଼ି ପାଇଁ ଆବଶ୍ୟକ ହେବାକୁ ଥିବା ଇଲେକ୍ଟ୍ରୋନିକ ମ୍ୟାଗ୍ନେଟିକ ମେଟେରିଆଲ ଉପରେ ନିଜର ଗବେଷଣା କରିବେ । ଚଳିତ ବର୍ଷ ଏଭଳି ଏକ ମର୍ଯ୍ୟାଦାଜନକ ବିଶ୍ୱବିଦ୍ୟାଳୟରେ ପିଏଚଡି କରିବା କ୍ଷେତ୍ରରେ ସେ ଦ୍ୱିତୀୟ ଭାରତୀୟ । ଏଥିପାଇଁ ସମସ୍ତ ଖର୍ଚ୍ଚ ସଂପୃକ୍ତ ବିଶ୍ୱବିଦ୍ୟାଳୟ ବହନ କରିବ ବୋଲି ଜଣାପଡିଛି । ଏହି ଖବର ପ୍ରଚାରିତ ହେବା ପରେ ତାଙ୍କୁ ଛୁଟିବାରେ ଲାଗିଛି ଶୁଭେଚ୍ଛାର ସୁଅ ।

ପିଲାଟି ବେଳୁ ସେ ଜଣେ ମେଧାବୀ ଛାତ୍ର ଭାବେ ବେଶ ପରିଚିତ । ୨୦୧୬ ମସିହାରେ ପାଣିକୋଇଲିସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରୁ ମାଟ୍ରିକ ଏବଂ ୨୦୧୮ ମସିହାରେ ଯୁକ୍ତ ଦୁଇ ବିଜ୍ଞାନରେ ପାସ କରିଥିଲେ । ଏହାପରେ ସେ ଓଡିଶା ଖଣି ନିଗମ ପକ୍ଷରୁ ପ୍ରଦାନ କରାଯାଉଥିବା କୋଚିଂ ନେଇ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଗୋଟିଏ ବର୍ଷ କୋଚିଂ ପରେ ସେ ରାଉରକେଲା ଏନଆଇଟି ଏବଂ ନାଇଜର,ଖୋର୍ଦ୍ଧାରେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ।

ନାଇଜରରେ ୫ ବର୍ଷିଆ ଇଂଟିଗ୍ରେଟେଡ ଏମଏସସି ପାଇଁ ସ୍ଥିର କରିଥିଲେ । ସେଠାରେ ପଢ଼ିବା ସମୟରେ ପ୍ରଫେସର ସତ୍ୟପ୍ରସାଦ ସେନାନାୟକଙ୍କ ଅଧିନରେ ନାନୋ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଡିଭାଇସ ଫିଜିକ୍ସ ଗବେଷଣା ଗାରରେ ନିଜର ଗବେଷଣା କରିଥିଲେ । ଅଂଶୁମାନଙ୍କ ବାପା ଅଶୋକ ସାହୁ ଗତ ୨୦୨୦ ମସିହାରେ କୋଭିଡ ମହାମାରୀରେ ମୃତ୍ୟ ବରଣ କରିଥିଲେ । ଅଂଶୁମାନଙ୍କ ମା’ ସ୍ମୃତି ଓ ତାଙ୍କ ଦାଦା ଏବଂ ପରିବାରର ଅନ୍ୟାନ୍ୟ ସଦସ୍ୟ ସବୁବେଳେ ତାଙ୍କୁ ସାହାଯ୍ୟ ସହଯୋଗ କରନ୍ତି । ତାଙ୍କର ଏଭଳି ସଫଳତା ପଛରେ ଶିକ୍ଷକମାନଙ୍କ ହାତ ଥିବା ଅଂଶୁମାନ କହିଛନ୍ତି ।

ଅଂଶୁମାନଙ୍କ ପ୍ରତିଭାର ବିକାଶ ପାଇଁ ଜିଲାପ୍ରଶାସନ ପକ୍ଷରୁ ମଧ୍ୟ ସାହାଯ୍ୟ ସହଯୋଗ କରାଯାଇଛି । ଆଗାମୀ ଦିନରେ ପଦାର୍ଥ ବିଜ୍ଞାନ ସମ୍ବନ୍ଧରେ ଗବେଷଣା କରି ଅନେକ କିଛି କରିବାର ଲକ୍ଷ୍ୟ ରଖିଛନ୍ତି ଅଂଶୁମାନ ।

You might also like