କୋଭିସିଲ୍ଡ ଓ କୋଭାକ୍ସିନ୍‌ ନେଉଥିବା ଲୋକଙ୍କ ଶରୀରରେ ୨ ମାସ ପରେ କମୁଛି ଆଣ୍ଟିବଡି, ଚିନ୍ତା ବଢ଼ାଇଲା ନୂଆ ରିସର୍ଚ୍ଚ

କରୋନା ଭାଇରସ୍‌ ଉପରେ ରୋକ୍‌ ଲଗାଇବା ପାଇଁ ଏବେ ସାରା ଦେଶରେ ଟିକା ଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏବେ ଯାଏଁ ପାଖାପାଖି ୭୫ କୋଟି ଲୋକ ଟିକା ନେଇ ସାରିଲେଣି। ବର୍ଷ ଶେଷ ବେଳକୁ ସମସ୍ତେ କରୋନା ଟିକା ନେଇ ସାରିଥିବେ ବୋଲି ଆଶା କରାଯାଉଛି। ତେବେ ଇତି ମଧ୍ୟରେ ଟିକାକରଣକୁ ନେଇ ହୋଇଥିବା ଏକ ରିସର୍ଚ୍ଚରେ ନୂଆ କଥା ସାମ୍ନାକୁ ଆସିଛି।

ଭୁବନେଶ୍ୱରସ୍ଥିତ ଆଇସିଏମ୍‌ଆର ରିଜନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟରର ଏକ ରିସର୍ଚ୍ଚରେ ଜଣାଯାଇଛି ଯେ କୋଭାକ୍ସିନ୍‌ ଓ କୋଭିସିଲ୍ଡ ଟିକା ନେଉଥିବା ବ୍ୟକ୍ତିଙ୍କ ଶରୀରରେ ଦୁଇ-ତିନି ମାସ ପରେ ଆଣ୍ଟିବଡିର ସ୍ତର କମ୍‌ ହେଉଛି। ଏନେଇ ଡା.ଦେବଦତ୍ତ ଭଟ୍ଟାଚାର୍ଯ୍ୟ କହିଛନ୍ତି, ଆମେ କୋଭିସିଲ୍ଡ ଓ କୋଭାକ୍ସିନ୍‌ ନେଇଥିବା ୬୧୪ ଜଣଙ୍କୁ ନେଇ ଏହି ରିସର୍ଚ୍ଚ କରିଥିଲୁ। ଟିକା ନେବା ବେଳେ ସମସ୍ତଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଥିଲା ଓ ୬ ମାସ ଯାଏଁ ଆମେ ଏହି ରିସର୍ଚ୍ଚ କରିଥିଲୁ।

ଏହି ରିସର୍ଚ୍ଚରୁ ଜଣାପଡ଼ିଛି ଯେ ଯେଉଁମାନେ କୋଭାକ୍ସିନ୍‌ର ଉଭୟ ଡୋଜ୍‌ ନେଇଥିଲେ ସେମାନଙ୍କ ଶରୀରରେ ୨ ମାସ ପରେ ଆଣ୍ଟିବଡି କମିବାରେ ଲାଗିଥିଲା। ସେହିପରି କୋଭିସିଲ୍ଡ ନେଇଥିବା ଲୋକଙ୍କ ଠାରେ ୩ ମାସ ମଧ୍ୟରେ ଆଣ୍ଟିବଡି ସ୍ତର ହ୍ରାସ ପାଇଥିଲା। ଏହି ରିସର୍ଚ୍ଚର ମୂଳ ଉଦ୍ଦେଶ୍ୟ ସାର୍ସ-ସିଓବି ୨(କରୋନା ଭାଇରସ) ବିପକ୍ଷରେ ଦିଆଯାଉଥିବା ଟିକାର ଆଣ୍ଟିବଡି ବିଷୟରେ ଜାଣିବା ଥିଲା ବୋଲି ସେ କହିଛନ୍ତି।

ତେବେ ଆଣ୍ଟିବଡିର ସ୍ତର କମ୍‌ ହେଉଥିବାରୁ ଏବେ ଏହା ଚିନ୍ତାର ବିଷୟ ପାଲଟିଛି। ଅନ୍ୟପଟେ ଏ ନେଇ ଆଉ ଜଣେ ଡାକ୍ତର ସଂଘମିତ୍ରା ପତି କହିଛନ୍ତି, ଶରୀରରେ ଆଣ୍ଟିବଡିର ସ୍ତର କମିଲେ ବି ଆଣ୍ଟିବଡି ତିଆରି ହେଉଛି। ଯାହା କି ଏକ ଭଲ ସଙ୍କେତ। ଏହି ରିସର୍ଚ୍ଚ ଉପରେ ଆମେ ଅଧିକ ଗୁରୁତ୍ୱ ଦେଇ ଆଗକୁ ବି ଜାରି ରଖିବୁ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.