ଯାଜପୁର : ଗତକାଲି ରାତିରେ ଯାଜପୁରରେ ଜମିଥିଲା କାଳୀପୂଜା ସନ୍ଧ୍ୟା। ମତୁଆଲା ହୋଇଥିଲେ ଦର୍ଶକ । ବିଭିନ୍ନ ମଞ୍ଚରେ ଆୟୋଜିତ ହୋଇଥିଲା ଷ୍ଟାର ନାଇଟ୍ । ପୃଥକ୍ ପୃଥକ୍ ଦୁଇଟି ମଞ୍ଚରେ ଯୋଗଦେଇଥିଲେ ଦୁଇଟି ଚର୍ଚ୍ଚିତ ଚେହେରା । ଜଣେ ହେଲେ ବର୍ଷା ପ୍ରିୟର୍ଦଶିନୀ ଓ ଆଉ ଜଣେ ହେଲେ ଅନୁଭବ ମହାନ୍ତି । ସହରର କିଆନାଳୀ କୂଳ ପୂଜା ମଣ୍ଡପ ନିକଟରେ ପ୍ରସ୍ତୁତ ହୋଇଛି ଗୋଟିଏ ମଞ୍ଚ । ଯେଉଁ ମଞ୍ଚରେ ସାଂସ୍କୃତିକ ସନ୍ଧ୍ୟାରେ ସାମିଲ ହୋଇଥିଲେ ବର୍ଷା ପ୍ରିୟର୍ଦଶିନୀ । ପ୍ରାୟ ମାତ୍ର ୨୦୦ ମିଟର ଦୂରରେ ଭବାନୀଗଞ୍ଜ କାଳୀ ମଣ୍ଡପର ମଞ୍ଚରେ ସାମିଲ ହୋଇଥିଲେ ଅନୁଭବ ମହାନ୍ତି ।
ବର୍ଷା ଆଉ ଅନୁଭବ ପତିପତ୍ନୀଙ୍କ ମଧ୍ୟରେ ବିବାଦ ଦେଖାଦେବା ପରଠାରୁ ଆରମ୍ଭ କରି ଉଭୟଙ୍କ ପୃଥକ୍ ଭାବେ ଦୁଇଟି ପ୍ରମୁଖ ରାଜନୀତିରେ ସାମିଲ ହେବା , ବର୍ଷା ନିର୍ବାଚନରେ ପ୍ରାର୍ଥୀ ହେବା ଆଦି ଘଟଣାକୁ ନେଇ ଦୁହେଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି। ଏବେ ଉଭୟଙ୍କୁ ସହରର ଦୁଇଟି ସାଂସ୍କୃତିକ ମଞ୍ଚରେ ଦେଖିବା ଏବଂ ଶୁଣିବା ପାଇଁ ଦର୍ଶକଙ୍କ ମନରେ ଦେଖିବାକୁ ମିଳିଥିଲା ଉତ୍ସାହ ଓ ଉଦ୍ଦୀପନା। ଉଭୟ ସ୍ଥାନରେ ଆୟୋଜକ ଓ ପୂଜା କମିଟିର କର୍ମକର୍ତ୍ତାଙ୍କ ସହିତ ହଜାର ହଜାର ଦର୍ଶକ ସେମାନଙ୍କୁ ସ୍ବାଗତ କରିବା ସହ ଉତ୍ସାହିତ କରିଥିଲେ। ଦୁହେଁ ଦର୍ଶକ ଓ ଆୟୋଜକଙ୍କୁ ମଧ୍ୟ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।