ଯାଜପୁରରେ ଜମିବ କାଳୀପୂଜା, ୨୦୦ ମିଟର ଦୂରତାରେ ରହିବେ ବର୍ଷା-ଅନୁଭବ
ଯାଜପୁର : ଆଜି ସନ୍ଧ୍ୟାରେ ଯାଜପୁରରେ ଜମିବ କାଳୀପୂଜା । ମତୁଆଲା ହେବେ ଦର୍ଶକ । ଏଥିଲାଗି ବିଭିନ୍ନ ମଞ୍ଚରେ ଆୟୋଜିତ ହେଉଛି ଷ୍ଟାର ନାଇଟ୍ । ଏଭଳି ରହିବ ଦୁଇଟି ମଞ୍ଚ ଯେଉଁଠି ପୃଥକ୍ ପୃଥକ୍ ଭାବେ ଯୋଗଦେବେ ଦୁଇଟି ଚର୍ଚ୍ଚିତ ଚେହେରା । ଜଣେ ବର୍ଷା ପ୍ରିୟଦର୍ଶିନୀ ଓ ଆଉ ଜଣେ ହେଲେ ଅନୁଭବ ମହାନ୍ତି । ସହରର କିଆନାଳୀ କୂଳ ପୂଜା ମଣ୍ଡପ ନିକଟରେ ପ୍ରସ୍ତୁତ ହୋଇଛି ଗୋଟିଏ ମଞ୍ଚ । ଯେଉଁ ମଞ୍ଚରେ ସାଂସ୍କୃତିକ ସନ୍ଧ୍ୟାରେ ସାମିଲ ହେବେ ବର୍ଷା ପ୍ରିୟଦର୍ଶିନୀ ।
ଅନ୍ୟପଟେ ପ୍ରାୟ ମାତ୍ର ୨୦୦ମିଟର ଦୂରରେ ଭବାନିଗଞ୍ଜ ସ୍ଥିତ ଅନ୍ୟ ଏକ କାଳୀପୂଜା ମଣ୍ଡପର ମଞ୍ଚରେ ସାମିଲ ହେବେ ଅନୁଭବ ମହାନ୍ତି । ବର୍ଷା ଆଉ ଅନୁଭବ ପତିପତ୍ନୀଙ୍କ ମଧ୍ୟରେ ବିବାଦ ଦେଖାଦେବା ପରଠାରୁ ଆରମ୍ଭ କରି ଉଭୟଙ୍କ ପୃଥକ୍ ଭାବେ ଦୁଇଟି ପ୍ରମୁଖ ରାଜନୀତିରେ ସାମିଲ ହେବା, ବର୍ଷା ନିର୍ବାଚନରେ ପ୍ରାର୍ଥୀ ହେବା ଘଟଣାକୁ ନେଇ ଦୁହେଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ଏବେ ସହରର ଦୁଇଟି ସାଂସ୍କୃତିକ ମଞ୍ଚରେ ଦୁଇ ଚେହେରାକୁ ଦେଖିବା ଏବଂ ଶୁଣିବା ପାଇଁ ଦର୍ଶକଙ୍କ ମନରେ ଏବେଠୁ ବଢ଼ି ଗଲାଣି ଉତ୍ସାହ ଓ ଉଦ୍ଦୀପନା । ଉଭୟ ସ୍ଥାନରେ ଆୟୋଜକ ଓ ପୂଜା କମିଟିର କର୍ମକର୍ତ୍ତା ମାନେ ଏବେ ଠୁଁ ମଞ୍ଚ ପ୍ରସ୍ତୁତ କରିବା ସହିତ ସେମାନଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ହୋଇଗଲେଣି।