ଘରେ ରାଜି ନହେବା ସତ୍ତ୍ବେ ବର୍ଷାଙ୍କୁ ଭଲ ପାଇ ବାହାହେଲି, ତାହା ମୋ ଜୀବନର ବଡ଼ ଭୁଲ ଥିଲା: ଅନୁଭବ

କଟକ(କେନ୍ୟୁଜ୍): ଅନୁଭବ ମହାନ୍ତିଙ୍କ ନୂଆ ଭିଡ଼ିଓକୁ ନେଇ ଚର୍ଚ୍ଚା । ଜୀବନସାଥୀ ବାଛିବାରେ ଭୁଲ କରିଥିବା କହିଲେ ଅନୁଭବ । ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାଦକୁ ନେଇ ଦୀର୍ଘ କିଛି ଦିନ ହେଲା ଚର୍ଚ୍ଚାରେ ଅଛନ୍ତି ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଏବେ ନୂଆ ଭିଡିଓକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ପ୍ରାୟ ଅଧଘଣ୍ଟାର ଭିଡିଓରେ ନିଜ ମନର କଥା କହିଛନ୍ତି । ଅନୁଭବ କହିଛନ୍ତି, ବର୍ଷାକୁ ଭଲ ପାଇ ବାହା ହୋଇଥିଲି । ୨୦୦୮ରେ ବର୍ଷାଙ୍କୁ ଅଧିକ ଭଲ ପାଇଥିଲି । ତାଙ୍କ ବିନା କାହା ବିଷୟରେ ଭାବିନଥିଲି । କିନ୍ତୁ ତାହା ଭୁଲ ଥିଲା ବୋଲି କହିଛନ୍ତି ଅନୁଭବ । ଏପରିକି ସେ କହିଛନ୍ତି, ଉଭୟଙ୍କ ଘରେ ବାହାଘର ପାଇଁ ରାଜି ନଥିଲେ । ତଥାପି ବାହାଘର ହୋଇଥିଲା ।

ମହିଳା ବୋଲି ଯାହା କହିବେ ତାହା କଣ ଠିକ ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ । ତାଙ୍କୁ କୌଣସି ଏକ ବଡ ପାୱାର ତଳିତଳାନ୍ତ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡା ସାଂସଦ । ବର୍ଷାଙ୍କ ସହ ବିବାଦକୁ ନେଇ କୋର୍ଟରେ ମାମଲା ଚାଲିଛି । ଏହି ସମୟରେ ଅନୁଭବ କହିଛନ୍ତି, ନ୍ୟାୟକୁ ଅପେକ୍ଷା ନ କରି ମୃତ୍ୟୁ ବାଛିନେବା ଭଲ । କିନ୍ତୁ ସେ ଏମିତି କରିବେ ନାହିଁ । ସେ କହିଛନ୍ତି, ଏହି ଭିଡିଓ ପରେ ରାଜନୈତିକ ଭବିଷ୍ୟତ କ’ଣ ହେବ ଜାଣି ନାହାନ୍ତି । କିନ୍ତୁ ଲଢେଇ ଜାରି ରହିବ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.