ଆରମ୍ଭ ହେଲାଣି ରାସନକାର୍ଡ ଧରପଗଡ଼, ଚିହ୍ନଟ ହେବେ ଭୂତ ହିତାଧିକାରୀ : କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର : ସରକାର ବଦଳିବା ପରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ରାସନକାର୍ଡ ଧରପଗଡ଼ । ଏନେଇ ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ନିର୍ଦ୍ଦେଶରେ ଯୋଗାଣ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଥିରେ ଚିହ୍ନଟ ହେବେ ଭୂତ ହିତାଧିକାରୀ । ରାଜ୍ୟରେ ୭୮ ପ୍ରତିଶତ ଲୋକ ମାଗଣା ଚାଉଳ ପାଉଛନ୍ତି । ଏଥିରେ କେତେ ଅଯୋଗ୍ୟ ହିତାଧିକାରୀ ଅଛନ୍ତି ତାହା ଜାଣିବାକୁ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଏନେଇ ଇକେୱାଇସି ଆରମ୍ଭ କରିବେ ରାଜ୍ୟ ସରକାର। ବହୁ ଧନୀ ଲୋକ ମଧ୍ୟ ରାସନ କାର୍ଡ ହାତେଇଛନ୍ତି । ଏହି ଅଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡରୁ ବାଦ ଦେବାକୁ ଆରମ୍ଭ ହେଉଛି ପ୍ରକ୍ରିୟା । ଏଥିରେ ରାସନ ଡିଲର ଦୁର୍ନୀତି କଲେ ସେମାନଙ୍କ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର ।

ସେହିପରି ଘରେ ବସି ଚାଉଳ ପାଇପାରିବେ ରାସନ କାର୍ଡ ହିତାଧିକାରୀ । ଯେଉଁମାନେ ପଞ୍ଚାୟତ ଅଫିସ ଆସିପାରୁନାହାନ୍ତି ସେମାନଙ୍କୁ ଘରେ ଚାଉଳ ପହଁଚାଇବା ପାଇଁ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର। ସେହିଭଳି ଯେଉଁ ମାନଙ୍କ ବୟସାଧିକ କାରଣ ଯୋଗୁଁ ଟିପ ଚି଼ହ୍ନ କାମ କରୁନାହିଁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଆପ୍ ଆଣିବେ ସରକାର। ଏନେଇ ଗୃହରେ କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଅନ୍ୟପଟେ ରାଜ୍ୟ ସରକାର ଏବେ ଇ-କେୱାଇସି ଯାଞ୍ଚ ପାଇଁ ପ୍ରସ୍ତୁତ ଚଳାଇଛନ୍ତି । ରାସନକାର୍ଡଧାରୀଙ୍କ ଆଧାର ଭିତ୍ତିକ ଇ-କେୱାଇସି ଯାଞ୍ଚ ହେବ । ଏହାଦ୍ୱାରା ଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇପାରିବେ । ଏହା ସହିତ ଯେଉଁମାନେ ମାନଦଣ୍ଡ ଉଲ୍ଲଂଘନ କରିଛନ୍ତି ସେମାନେ ବାଦ୍ ପଡିବେ । ଚାରିଚକିଆ ଯାନ ରଖିଥିବା ବ୍ୟକ୍ତି ସବୁଠାରୁ ଆଗରେ ରାସନକାର୍ଡ ତାଲିକାରୁ ବାଦ ପଡିବେ । ସରକାରୀ ମାନଦଣ୍ଡରେ ଏହା ସବୁଠାରେ ଆଗରେ ରହିଛି । ଋଣ କରି ଚାରି ଚକିଆ ଯାନ ରଖିଥିବା ରାସନ କାର୍ଡଧାରୀ ମଧ୍ୟ ବାଦ୍ ପଡିବେ । ତେଣୁ ଏହି ବର୍ଗ ଏବେ ଛାନିଆ । ତିନି ଚକିଆ କ୍ଷେତ୍ରରେ ଏହି ସୀମା ଦୁଇଟି ରହିଛି । ଏହା ଛଡା ଭାରିଯାନ ଟ୍ରଲର କିମ୍ବା ଦୁଇ ବା ତାହାଠାରୁ ଅଧିକ ମୋଟର ବୋଟର ମାଲିକ ହୋଇଥିଲେ ତାଲିକାରୁ ବାଦ୍ ପଡିବେ ।