ଦୁଃଖ ସାଉଁଟୁଛନ୍ତି ହସାଉଥିବା କଳାକାର

କେନ୍ଦ୍ରାପଡା (କେନ୍ୟୁଜ୍) : ଦିନେ ସେ ଯାତ୍ରା ଜଗତର ବେଶ୍ ପରିଚିତ ଥିଲେ । ନିଜର ହାସ୍ୟ ଅଭିନୟ ପାଇଁ ସାଉୁଁଟୁଥିଲେ ଅଜସ୍ର କରତାଳି । ଯାତ୍ରାପ୍ରେମୀଙ୍କ ହୃଦୟରେ ଆଜି ବି ସେ ଘର କରିଛନ୍ତି । ହେଲେ ଯାତ୍ରାରୁ ଅବସର ନେବା ପରେ ଦୁର୍ବିସହ ହୋଇପଡ଼ିଛି ତାଙ୍କ ଜୀବନ । ଆସନ୍ତୁ ନଜର ପକାଇବା ଯାତ୍ରା କଳାକାର ଗୋବିନ୍ଦ ବାରିକଙ୍କ ଦୁଃଖ ।
କେନ୍ଦ୍ରାପଡା ଜିଲ୍ଲା ମଠସାହି ଗାଁର ଯାତ୍ରା କଳାକାର ଗୋବିନ୍ଦ ବାରିକ । ଦିନେ ସେ ମଞ୍ଚ ଉପରେ ଲୋକଙ୍କୁ ହସାଉଥିଲେ । ହେଲେ ଆଜି ତାଙ୍କ ଆଖିରେ ଲୁହ । ଆଜ୍ମା ରୋଗରେ ଆକ୍ରାନ୍ତ ହେବା ପରେ ସେ ଯାତ୍ରାରୁ ଅବସର ନେଇଛନ୍ତି । ଏବେ ଛେଳି ଚରାଇ ଓ ଭାଗଚାଷ କରି ପରିବାର ପୋଷୁଛନ୍ତି । ତା ସାଙ୍ଗକୁ ଘରେ ମାନସିକ ଅନଗ୍ରସର ପୁଅ । ସରକାରୀ ସହାୟତା କହିଲେ ଖଣ୍ଡେ ଇନ୍ଦିରା ଆବାସ ଘର ଓ ବାର୍ଦ୍ଧକ୍ୟ ଭତ୍ତା । ଏବେ ଏବେ ମିଳିଛି କଳାକାର ଭତ୍ତା ।
ଗୋବିନ୍ଦଙ୍କୁ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଓ ତାଙ୍କ ପୁଅକୁ ଦିବ୍ୟାଙ୍ଗ ଭତ୍ତା ଯୋଗାଇ ଦେବାକୁ ଗାଁଲୋକ ଦାବି କରିଛନ୍ତି। ଅନ୍ୟପଟେ ଜିଲ୍ଲା ସାମାଜିକ ଅଧିକାରୀଙ୍କ ତଦନ୍ତ ପରେ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।