ଦରକାର ୧୬ କୋଟିର ଇଞ୍ଜେକସନ୍‌, ପୁଅ ରାଜବୀର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ବାପା ମାଆ

ଭୁବନେଶ୍ୱର (କେନ୍ୟୁଜ୍‌) : ଜୀବନ ଓ ମୃତ୍ୟୁ ଭିତରେ ବ୍ୟବଧାନ ହେଉଛି ମାତ୍ର୪ ମାସ । ଇଞ୍ଜେକସନ ନମିଳିଲେ ଆସନ୍ତା ୪ ମାସ ଭିତରେ ଆଖି ବୁଜି ଦେଇ ପାରେ କୁନି ଜୀବନଟିଏ । ସେ ହେଉଛି ଫୁଲବାଣୀର ରାଜବୀର ରଣା । ୧୮ ମାସର ଶିଶୁକୁ ବଞ୍ଚାଇବା ପାଇଁ ୧୬ କୋଟି ଟଙ୍କାର ଇଞ୍ଜେକସନ ଦରକାର। ଏହି ଖବର ପ୍ରଥମେ କେନ୍ୟୁଜ୍‌ ଜରିଆରେ ଓଡ଼ିଶା ଏବଂ ଓଡ଼ିଶା ବାହାରେ ପହଞ୍ଚିଥିଲା । ଏହାପରେ ଅନେକ ଲୋକ ରାଜବୀରର ସହାୟତା ପାଇଁ ହାତ ବଢ଼ାଇଛନ୍ତି । ତେବେ ଦୁଃଖର କଥା ହେଉଛି ଏଯାଏ ଆବଶ୍ୟକ ଅର୍ଥ ଯୋଗାଡ଼ ହୋଇ ପାରିନାହିଁ । ତେଣୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ କରିବାକୁ ଆସିଥିଲେ ରାଜବୀରର ବାପା ମା । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ନିଜ ଗୁହାରି ଜଣାଇଛନ୍ତି ।

ରାଜବୀରକୁ ସ୍ପାଇନାଲ ମସ୍କୁଲାର ଆଟ୍ରୋପି ଭଳି ଏକ ସାଂଘାତିକ ରୋଗ ହୋଇଛି । କନ୍ଧମାଳର ଆମ୍ବପଡ଼ାର କୁଳମଣି ରଣାଙ୍କ ପୁଅ ହେଉଛି ରାଜବୀର । ତାର ଚିକିତ୍ସା ପାଇଁ ଦରକାର ‘ଜୋଲଗେନ୍ସମା’ ଇଞ୍ଜେକସନ । ଏହି ଔଷଧର ଦାମ୍‌ ୧୬ କୋଟି ଟଙ୍କା । ଆଉ ୪ ମାସ ମଧ୍ୟରେ ଇଞ୍ଜେକସନ ଦେବାକୁ ହେବ।

ଯଦିଓ ବାପା ମାଙ୍କ ଆକୁଳ ନିବେଦନ ପରେ ଦେଶର କୋଣ ଅନୁକୋଣରୁ ଆର୍ଥିକ ସାହାଯ୍ୟ ମିଳୁଛି ତଥାପି ୧୬ କୋଟି ଟଙ୍କା ଯୋଗାଡ଼ ହେବା ଅସମ୍ଭବ ଲାଗୁଛି । ରାଜବୀର ଏବେ ବେଙ୍ଗାଲୁରର ଏକ ହସପିଟାଲରେ ଚିକିତ୍ସିତ ହେଉଛି । ତେବେ ଜଣେ ସ୍ବେଚ୍ଛାସେବୀଙ୍କ ସହାୟତାରେ ଆଜି ବେଙ୍ଗାଳୁରୁରୁ ଭୁବନେଶ୍ବର ଆସି ରାଜବୀରର ବାପା ମା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇଥିଲେ । ସେଠାରେ ସେମାନେ ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି । ଆଶା ରଖିଛନ୍ତି ପୁଅର ଚିକିତ୍ସା ପାଇଁ ନିଶ୍ଚୟ ରାଜ୍ୟ ସରକାର ସହାୟତା ଦେବେ ବୋଲି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.