ଆଜିଠୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁଲାଇ ୬ ପର୍ଯ୍ୟନ୍ତ କରିପାରିବେ ଆବେଦନ

କଟକ (କେନ୍ୟୁଜ): ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା । ୧୧ଟାରୁ ସାମସ୍ ପୋର୍ଟାଲରେ ଉପଲବ୍ଧ ହେବ କମନ ଆପ୍ଲିକେସନ୍ ଫର୍ମ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ଥିବା କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀ ପାଠ୍ୟକ୍ରମରେ ନାମଲେଖା ପାଇଁ www.samsodisha.gov.in ପୋର୍ଟାଲରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଜୁଲାଇ ୬ ତାରିଖ ହେଉଛି ଆବେଦନର ଶେଷ ତାରିଖ । ଆବେଦନ ଫି’ ବାବଦକୁ ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୨ଶହ ଟଙ୍କା ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାଙ୍କ ପାଇଁ ଶହେ ଟଙ୍କା ଧାର୍ଯ୍ୟ କରାଯାଇଛି। ଦିବ୍ୟାଙ୍ଗ, ତୃତୀୟ ଲିଙ୍ଗୀ ଓ ଅନାଥ ପିଲାଙ୍କ ପାଇଁ ନିଶୁଳ୍କ କରାଯାଇଛି।

ଜୁଲାଇ ୧୮ ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୧୯ରୁ ୨୩ ମଧ୍ୟରେ ଅନୁଷ୍ଠିତ ହେବ । ଏଥର ରାଜ୍ୟର ୨ ହଜାର ୧୨୧ ଯୁକ୍ତ ଦୁଇ କଲେଜର ୫ଲକ୍ଷ ୨୫ ହଜାର ୪୬୫ ସିଟରେ ନାମଲେଖା ହେବ । କଳା ବିଭାଗରେ ସର୍ବାଧିକ ୨ଲକ୍ଷ ୯୪ ହଜାର ୮୪୦ ସିଟ୍, ବିଜ୍ଞାନରେ ୧ଲକ୍ଷ ୬୬ ହଜାର ୯୨୯, ବାଣିଜ୍ୟରେ ୪୦ ହଜାର ୧୦୪, ସଂସ୍କୃତରେ ୧୩ ହଜାର ୮୮ ଓ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୦ ହଜାର ୫୦୪ ସିଟରେ ନାମଲେଖା କରିବାକୁ ନିଷ୍ପତ୍ତି ନିଆଯାଇଛି । ନାମଲେଖା ସରିବା ପରେ ଅଗଷ୍ଟ ପହିଲାରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି।

You might also like